ନୟାଗଡ଼:ଓଡ଼ଗାଁ ରୋହିବାଙ୍କ ଲୁଟ୍ ଘଟଣାରେ ରଣପୁର ଥାନା ପୋଲିସ ଦୁଇ ଡକାୟତଙ୍କୁ ଗିରଫ କରିଛି । ଏହାସହ ଅନ୍ୟଜଣେ ଅଭିଯୁକ୍ତ ଫେରାର ରହିଛି । ସୂଚନା ଅନୁସାରେ, ଗତ 12 ତାରିଖରେ ଭୁବନେଶ୍ବର ବିବେକାନନ୍ଦ ମଲ୍ଲିକଙ୍କ ପୁଅ ସଞ୍ଜିତ ମଲ୍ଲିକ(24) ଏକ ବିବାହ କାର୍ଯ୍ୟ ସାରି କନ୍ଧମାଳରୁ ଭୁବନେଶ୍ବର ଫେରୁଥିଲେ । ଓଡ଼ଗାଁ ରୋହିବାଙ୍କ ଠାରେ ସଞ୍ଜିତଙ୍କୁ 3 ଜଣ ଲୁଟେରା ଅଟକାଇଥିଲେ ।
କୈଶଳ କ୍ରମେ ସଞ୍ଜିତଙ୍କୁ ନିଶା ଦେଇ ରଣପୁର ଗୋଡିମଡ଼ା ଅଞ୍ଚଳର ଏକ ଜଙ୍ଗଲକୁ ନେଇ ଆସିଥିଲେ । ସଞ୍ଜିତ ଅଚେତ ହୋଇଯିବା ପରେ ତାଙ୍କ ଠାରୁ ବାଇକ,ମୋବାଇଲ ଆଦି ଲୁଟି ନେଇଥିଲେ । ପରେ ସଞ୍ଜିତଙ୍କ ବାପା ବିବେକାନନ୍ଦ ମଲ୍ଲିକ ଏ ନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରଣପୁର ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡା ଘଟଣାର ତଦନ୍ତ କରିଥିଲେ । IIC ଜ୍ୟୋତି ପ୍ରକାଶ ପଣ୍ଡା ଏବଂ ସବ ଇନ୍ସପେକ୍ଟର ସଞ୍ଜୟ ପରିଡା ଲୁଟେରା ମାନଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଓଡଗାଁ ଥାନା ଭଗବତୀପ୍ରସାଦ ଗାଁର ସୁଶାନ୍ତ ରାଉତ ଏବଂ ରୋହିବାଙ୍କ ଗାଁର ଲକ୍ଷ୍ମୀ ନାରାୟଣ ଆଳତିଆଙ୍କୁ ଗିରଫ କରିଛି ।