ନୟାଗଡ଼:ଚଳିତ ବର୍ଷ ରଥଯାତ୍ରା ଉପଲକ୍ଷେ ପୂର୍ବତଟ ରେଳ ବିଭାଗ ପକ୍ଷରୁ ପୁରୀକୁ ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ରଥଯାତ୍ରା,ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଏବଂ ସୁନାବେଶ ଦିନ ଏହି ସ୍ଵତନ୍ତ୍ର ଟ୍ରେନ ଚାଲିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଅନ୍ୟ ଦିନ ମାନଙ୍କରେ ପୁରୀ ଯିବାପାଇଁ ଟ୍ରେନ ବ୍ୟବସ୍ଥା ନାହିଁ । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
କେବଳ ରଥଯାତ୍ରାରେ ପୁରୀକୁ ଗଡିବ ଟ୍ରେନ, ଜିଲ୍ଲାବାସୀଙ୍କ ଅସନ୍ତୋଷ ପ୍ରକାଶ କୋଭିଡ ଯୋଗୁଁ ଗତ ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନୟାଗଡ଼ରୁ ପୁରୀକୁ ରେଳ ଚଳାଚଳ ବନ୍ଦ ରହିଥିବା ବେଳେ ରଥଯାତ୍ରା ପୂର୍ବରୁ ପୁନଃ ଚଳାଚଳ ପାଇଁ ଜିଲ୍ଲାବାସୀ ଆଶା ବାନ୍ଧି ରହିଥିଲେ। ତେବେ ବିଭାଗ ପକ୍ଷରୁ ଜିଲ୍ଲାବାସୀଙ୍କୁ ପ୍ରତାରଣା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ନୟାଗଡ଼ରୁ ଭୁବନେଶ୍ୱରକୁ ନିୟମିତ ରେଳ ଚଳାଚଳ କରୁଥିବା ବେଳେ ପୁରୀକୁ ରେଳ ନଗଡିବା ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନାଯୋଗ୍ୟ ଇତି ମଧ୍ୟରେ ନୂଆଗାଁ ରେଳ ଷ୍ଟେସନ ସମ୍ପୂର୍ଣ୍ଣ ହୋଇ ଗତ ୨୦ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀଙ୍କ ଦ୍ଵାରା ଉଦଘାଟନ ହେବାପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ଶେଷ ମୁହୂର୍ତ୍ତରେ ମନ୍ତ୍ରୀଙ୍କ ପ୍ରୋଗ୍ରାମ ବାତିଲ କରାଯାଇଥିଲା । ଷ୍ଟେସନ ଉଦଘାଟିତ ହୋଇଥିଲେ ପୁରୀକୁ ନିୟମିତ ଭାବରେ ରେଳ ଚଳାଚଳ ହୋଇଥାନ୍ତା ବୋଲି ବିଭାଗ ପକ୍ଷରୁ କୁହାଯାଇଥିଲା । ମାତ୍ର ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ପୁରୀକୁ କେବଳ ରଥଯାତ୍ରା ଅବସରରେ ସ୍ୱତନ୍ତ୍ର ଟ୍ରେନ ମାତ୍ର ତିନି ଦିନ ପାଇଁ ଚାଲିବା ନେଇ ସୂଚନା ଦିଆଯାଇଛି । ପୁରୀକୁ ନିୟମିତ ଟ୍ରେନ ଚଳାଚଳ ପାଇଁ କୌଣସି ସୂଚନା ନଥିବାରୁ ଜିଲ୍ଲାବାସୀଙ୍କ ମନରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଉଥିବା ବେଳେ ନୟାଗଡ଼ ନାଗରିକ ମଞ୍ଚ ପକ୍ଷରୁ ଏନେଇ ଜୋରଦାର ଆନ୍ଦୋଳନ ପାଇଁ ପ୍ରସ୍ତୁତ କରାଯାଇଥିବା ସୂଚନା ମିଳିଛି l
ଇଟିଭି ଭାରତ, ନୟାଗଡ଼