ନୟାଗଡ:ନୟାଗଡ଼ରେ ଥମୁନି ବାଘ ଶିକାର l କମୁନି ବାଘ ଛାଲ ବେପାର l ବାଘକୁ ହତ୍ୟା କରି ଶିକାରୀ ମାନେ ଚମଡା, ନଖ ଆଦି ବିକ୍ରି ଉଦ୍ୟମ କରୁଛନ୍ତି l ଏହି ସମୟରେ କେତେବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ ଦ୍ବାରା ତ ପୁଣି କେତେବେଳେ ବନ ବିଭାଗ ଦ୍ବାରା ଗିରଫ ହେଉଛନ୍ତି ଶିକାରୀ l ତେବେ ଗୋଟିଏ ପରେ ଗୋଟିଏ ବାଘ ଛାଲ ଜବତ ସହ ଶିକାରୀ ଗିରଫ ହେବା ଘଟଣାକୁ ନେଇ ଚର୍ଚ୍ଚା ଉଠିଛି l ବାଘ ଶୂନ୍ୟ ହୋଇଯିବ କି ନୟାଗଡ଼ ଜଙ୍ଗଲ ! କାରଣ ପୂର୍ବରୁ ରଣପୁର, ଦଶପଲ୍ଲା ଅଂଚଳରୁ ମଧ୍ୟ ଏସଟିଏଫ ବାଘ ଶିକାରୀଙ୍କୁ ଗିରଫ କରିଥିବା ନଜର ରହିଛି l ଏବେ ପୁଣି କଲରାପତରିଆ ବାଘ ଛାଲ ସହ ଶିକାରୀକୁ ଗିରଫ କରିଛି ନୟାଗଡ଼ ବନ ବିଭାଗ l
ତେବେ ସୂଚନା ଅନୁଯାୟୀ, ନୟାଗଡ଼ ବନାଞ୍ଚଳରୁ ଗୋଟିଏ 7 ଫୁଟ ଲମ୍ବର କଲରାପତରିଆ ବାଘ ଛାଲ ସହ ଗୁଳି ଜବତ ହୋଇଛି l ଶିକାରୀ କୃପାସିନ୍ଧୁ ବିଶ୍ବାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ଗିରଫ ଅଭିଯୁକ୍ତ କୃପାସିନ୍ଧୁ ବିଶ୍ବାଳ ଘର ନୟାଗଡ଼ ଟାଉନ ଥାନା ଚଣ୍ଡୀବସ୍ତ ଗାଁରେ l 15 ହଜାର ଟଙ୍କାରେ ଛାଲକୁ କୃପାସିନ୍ଧୁ ବିକ୍ରି କରିବା ପାଇଁ ନେବା ବେଳେ ପାଣିପୋଇଲା ଛକ ନିକଟରୁ ବନ ବିଭାଗ ସ୍ଵତନ୍ତ୍ର ଟିମ ହାତରେ ଧରା ପଡିଥିଲା କୃପାସିନ୍ଧୁ l କୃପାସିନ୍ଧୁ ବାଘଟିକୁ ଗଂଜାମ ଜିଲ୍ଲା ଜଙ୍ଗଲରେ ଗୁଳି କରି ଶୀକାର କରିଥିବା DFO ସୂଚନା ଦେଇଛନ୍ତି l