ନୟାଗଡ଼: ଆଜିର ସକାଳ କିଛି ନିଆରା । ପ୍ରାତଃର ସୁଲୁସୁଲିଆ ପବନରେ ବାରି ହୋଇପଡୁଛି ସ୍ବାଧୀନତାର ବାସ୍ନା । କାରଣ ଆଜି ଦେଶ ପାଳୁଛି ସ୍ବାଧୀନତାର 75 ତମ ଦିବସ । ଦେଶବାସୀଙ୍କୁ ଏହି ସ୍ବାଧୀନତାର ସ୍ବାଦ ଚଖାଇବା ପାଇଁ ଅନେକ ବୀର ପୁରୁଷ ଦେଇଛନ୍ତି ବଳିଦାନ । ଦେଶ ପାଇଁ ଏମିତି ଅନେକ ବଳିଦାନ ମଧ୍ୟରେ ରହିଛି ନୟାଗଡ଼ର ସ୍ବାଧୀନତା ସଂଗ୍ରାମୀ ଗାଁ ଥୁଆବାରୀ । ପ୍ରଜା ଆନ୍ଦୋଳନ ଓ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଏହି ଗାଁର ଆବାଳବୃଦ୍ଧବନିତା । ଗୋଟିଏ ଲକ୍ଷ୍ୟ ଥିଲା ଫିରଙ୍ଗୀମାନଙ୍କ କବଳରୁ ଦେଶକୁ ରକ୍ଷା କରିବା ।
ଜିଲ୍ଲାର ନୂଆଗାଁ ବ୍ଲକର ଥୁଆବାରୀ ଗାଁ । ମହାତ୍ମା ଗାନ୍ଧୀଙ୍କ ଦେଶମୁକ୍ତି ବାଣୀରେ ଉଦବୁଦ୍ଧ ହୋଇ ଗାଁର ଆବାଳବୃଦ୍ଧବନିତା ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ । ଓଡ଼ିଶାର ରକ୍ତତୀର୍ଥ ଇରମ ପରେ ସ୍ବାଧୀନତା ସଂଗ୍ରାମୀଙ୍କ ଗାଁ ଭାବେ ଭାରତର ସ୍ବାଧୀନତା ସଂଗ୍ରାମ ଇତିହାସରେ ସୁନ୍ଦରପୃଷ୍ଠା ମଣ୍ଡନ କରିଛି ଥୁଆବାରୀ । ପ୍ରଜାମଣ୍ଡଳ ଆନ୍ଦୋଳନରେ ଏହି ଗାଁର କଣ୍ଡୁରୀ ପରିଡା ସ୍ଥାନୀୟ ଆଦିବାସୀଙ୍କୁ ମେଳି କରି ସ୍ବାଧୀନତା ଆନ୍ଦୋଳନରେ ସାମିଲ କରାଇଥିଲେ । ଆଉ ଏହାପରେ ଗାନ୍ଧିଜୀଙ୍କ ଓଡିଶା ଆଗମନରେ ଭାରତ ଛାଡ଼ ଆନ୍ଦୋଳନର ନେତୃତ୍ବ ନେଇ ଏହି ଗାଁର କଣ୍ଡୁରୀ ପରିଡା ଓ ଆନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଗାଁର ଆବାଳ ବୃଦ୍ଧବନିତା ଦେଶ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇଥିଲେ ।
ଭାରତ ଛାଡ଼ ଆନ୍ଦୋଳନ ବେଳେ ଏହି ଗାଁର ଶତାଧିକ ଲୋକେ ମେଳି ବାନ୍ଧି ବରକୋଳା ବଙ୍ଗଳା ସମେତ ଆଖପାଖ ସମସ୍ତ ଅଞ୍ଚଳରେ ଇଂରେଜ ସରକାରଙ୍କ ସରକାରୀ ଅଫିସରେ ନିଆଁ ଲଗାଇଥିଲେ । ଇଂରେଜମାନଙ୍କୁ ଅସହଯୋଗ କରିଥିଲେ ଗ୍ରାମବାସୀ । ଏହି ଆନ୍ଦୋଳନରେ ଗ୍ରାମର ପ୍ରାୟ 65 ଜଣ ସ୍ବାଧୀନତା ସଂଗ୍ରାମୀ ପ୍ରାଣ ଦେଇ ଆଜି ବି ଅମର ହୋଇଛନ୍ତି । ଗାଁ ମୁଣ୍ଡରେ ଥିବା ଶହୀଦ ସ୍ତମ୍ଭ ଆଜି ସଂଗ୍ରାମୀମଙ୍କ ସ୍ମତିକୁ ବହନ କରି ଛିଡ଼ା ହୋଇଛି । ଗ୍ରାମର ସଂଗ୍ରାମୀଙ୍କ ସ୍ମୃତିରେ ପ୍ରତିବର୍ଷ ଅକ୍ଟୋବର 10 ତାରିଖକୁ ଗ୍ରାମବାସୀ ଶହୀଦ ଦିବସ ଭାବେ ପାଳନ କରି ଆସୁଛନ୍ତି l