ନୟାଗଡ: ବୃଦ୍ଧା ମା’ର ଘରେ ବସି ରହିବାକୁ ସହିପାରିଲେନି ପୁଅ ବୋହୂ । ଜୀବନ ଯାକ ଦୁଃଖ କଷ୍ଟ ସହି ଓଳିଏ ଖାଇ ଦୁଇ ଓଳି ଉପାସ ରହି ପୁଅକୁ ବଡ କରିବାର କଣ ଏଇ ଫଳ । ପରିଣତ ବୟସରେ ବୃଦ୍ଧା ମାଆ ଘରେ ବସିବା କାରଣରୁ ମାଆକୁ ସବୁ ଦିନେ ମିଳୁଥିଲା ମାଡ ଆଉ ଗାଳି । ସେତିକ ବି କମ ପଡିଲା ଯେ ଦଶମାସ ଗର୍ଭରେ ଧରି ଜନ୍ମ ଦେଇଥିବା ମାଆକୁ ମାରିବାରୁ ପଛାଇଲାନି ପୁଅ । ପିଟିପିଟି ମାରିବା ପରେ ବୃଦ୍ଧା ମାଆକୁ ବାଉଁଶରେ ଟାଙ୍ଗି ଦେଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ରାବରା ଗୋଡ଼ିସାହି (ଶାନ୍ତିପୁରୀ) ଗାଁରେ ।
ପଦ୍ମନାଭ ସାମଲଙ୍କର ମାଆ ହେମଲତା ସାମଲ (80) । ଵୃଦ୍ଧା ବୟସରେ ଅବତୀର୍ଣ୍ଣ ହୋଇଥିବା ଯୋଗୁଁ କିଛି କାମ ଧନ୍ଦା କରିପାରୁନଥିଲେ । ମାଆ ବସି ରହିବା ଫଳରେ ପୁଅ ବୋହୂ ଠିକ ଭାବରେ ଖାଇବା ପିଇବାକୁ ଦେଇ ନଥିଲେ । ସବୁଦିନେ ଗାଳି ଗୁଲଜ କରି ମାଡ଼ ମଧ୍ୟ ମାରୁଥିବା କଥା କହିଛନ୍ତି ଗ୍ରାମବାସୀ । ଗତକାଲି କୌଣସି କାରଣରୁ ପୁଅ ପଦ୍ମନାଭ ବୃଦ୍ଧା ମାଆକୁ ଘୋଷାରି ନେଇ ମାଡ ମାରୁଥିବା ବେଳେ ମାଆ ଆକୁଳ ଚିତ୍କାର କରୁଥିଲେ । ଯୋଗ୍ୟ ପୁଅ କାନରେ ପଡିନଥିଲା ମାଆର ଆକୁଳ ଚିତ୍କାର । ମାଆ ଉପରେ ଆକ୍ରମଣ କରି ଚାଲିଥିଲା ପୁଅ । ଫଳରେ ଶେଷରେ ଆଖି ବୁଜିଥିଲେ ବୃଦ୍ଧା ହେମଲତା ସାମଲ ।