ଓଡିଶା

odisha

ETV Bharat / state

ସାହସୀ ସଂଯୁକ୍ତା: ସମାଜରୁ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ କରୁଛନ୍ତି ସଚେତନ - ଅନ୍ଧବିଶ୍ୱାସକୁ ନେଇ ସଚେତନ କରୁଛନ୍ତି ନୟାଗଡର ସଂଯୁକ୍ତା

ସମାଜରୁ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ସଚେତନ କରୁଛନ୍ତି ନୟାଗଡର ସଂଯୁକ୍ତା । ଭୂତ, ପ୍ରେତ,ଡାହାଣୀ, ହାଡ଼ବାଇ ନାଁରେ ନିର୍ଯାତନା ଭୋଗୁଥିବା ଲୋକଙ୍କ ପାଇଁ ସେ କରୁଛନ୍ତି ସଚେତନ l ନିଜେ ଭୋଗିଥିବା ଅପବାଦ ଆଉ କାହାକୁ ଯେପରି ନ ମିଳୁ ସେଥିପାଇଁ ସେ ଉଦ୍ୟମରତ l ଅଧିକ ପଢନ୍ତୁ

ସାହସୀ ସଂଯୁକ୍ତା : ସମାଜରୁ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ କରୁଛନ୍ତି ସଚେତନ
ସାହସୀ ସଂଯୁକ୍ତା : ସମାଜରୁ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ କରୁଛନ୍ତି ସଚେତନ

By

Published : Jan 20, 2022, 7:45 PM IST

ନୟାଗଡ଼:ସମାଜ ସଂସ୍କାର ଦିଗରେ ଆଗେଇ ଆସିଛନ୍ତି ଜଣେ ମହିଳା l ଅନ୍ଧବିଶ୍ୱାସର ଅନ୍ଧ ଗଳିରେ ଅନେକ ଲୋମହର୍ଷଣକାରୀ ଘଟଣା ଘଟିଛି ନୟାଗଡ଼ ଜିଲ୍ଲାରେ l ଏହି ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ନେଇଛନ୍ତି ବଜ୍ର ଶପଥ l ଭୂତ, ପ୍ରେତ,ଡାହାଣୀ, ହାଡ଼ବାଇ ନାଁରେ ନିର୍ଯ୍ୟାତନା ଭୋଗୁଥିବା ଲୋକଙ୍କ ପାଇଁ ସେ କାମ କରୁଛନ୍ତି l ଖଟବୁଲା, ଗୁଣିଆ ଆଦିଙ୍କୁ ସେ ବିରୋଧ କରୁଛନ୍ତି l ନିଜେ ଭୋଗିଥିବା ଅପବାଦ ଆଉ କାହାକୁ ଯେପରି ନ ମିଳୁ ସେଥିପାଇଁ ସେ ଉଦ୍ୟମରତ l ଯାହା ତାଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ ।

ସାହସୀ ସଂଯୁକ୍ତା : ସମାଜରୁ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ କରୁଛନ୍ତି ସଚେତନ

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାମଚନ୍ଦ୍ରପୁର ଗାଁର ସଂଯୁକ୍ତା ସେଠି l ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ କରୁଛନ୍ତି ପ୍ରୟାସ l ଗାଁକୁ ଗାଁ ଏବଂ ବିଭିନ୍ନ ସଭା ସମିତିକୁ ଯାଇ ଲୋକଙ୍କୁ ଅନ୍ଧବିଶ୍ୱାସ ଉପରେ ଭରସା ନ କରିବାକୁ ଦେଉଛନ୍ତି ପରାମର୍ଶ l ମହିଳାଙ୍କ ଦେହରେ ଡାହାଣୀ ଲାଗିବା ହେଉ କିମ୍ବା ଭୂତ, ପ୍ରେତ ଲାଗିବା ଏକ ମିଛ କଥା ବୋଲି କହୁଛନ୍ତି l ଏ ସବୁ କରିବା ପଛରେ ରହିଛି ଏକ ସଂଘର୍ଷର କାହାଣୀ l ସଂଯୁକ୍ତାଙ୍କୁ ଦିନେ ହାଡ଼ବାଇ ସବାର ନାଁରେ ଭୋଗିବାକୁ ପଡ଼ିଥିଲା ଅସହ୍ୟ ନିର୍ଯାତନା l ଏମିତି ନିର୍ଯାତନା ଯାହା ଶୁଣିଲେ ଆଜିବି ଭୟରେ ଥରି ଉଠେ ଛାତି l ନିର୍ଯାତନା ଏପରି ଥିଲା ଯେ ନାଁ ବଞ୍ଚି ପାରୁଥିଲେ ନାଁ ମରି ପାରୁଥିଲେ ।

1994 ମସିହାରେ 17 ବର୍ଷ ବୟସରେ ସଂଯୁକ୍ତା ବିବାହ କରିଥିଲେ l ବିବାହର ମାତ୍ର 13 ଦିନ ପରେ ତାଙ୍କୁ ଜ୍ୱର ହୋଇଥିଲା l ଏହା ପରେ ଶାଶୁ ଘର ଲୋକେ ଏବଂ ସାହି ପଡ଼ିଶା ହାଡ଼ବାଇ ଲାଗିଥିବା କହିଲେ l ଏହାପରେ କିଏ ହାଡ଼ବାଇ ଛାଡିବାକୁ ମାଡ଼ ମାରିଲା ତ ପୁଣି କିଏ ଅନ୍ଧାର କୋଠରୀରେ ରଖିଲା l ହାଡ଼ବାଇ ଲାଗିନଥିବା ନେଇ ସଂଯୁକ୍ତା ଯେତେ କହିଲେ କେହି ଶୁଣିଲେ ନାହିଁ l ମାଡ଼ ଗୋଇଠା ଆଦି ବର୍ଷା କଲେ ପରିବାର ଲୋକେ l ହାଡ଼ବାଇ ଛାଡ଼ିବାକୁ ଗୁଣିଆ ପାଖକୁ ନେଲେ । ଗୁଣିଆ ମଧ୍ୟ ଅସହ୍ୟ ନିର୍ଯ୍ୟାତନା ଦେଇଛି l ଏ ସବୁ ସହ୍ୟ କରି ନପାରି ନିଜ ବାପାଙ୍କ ସହାୟତା ନେଲେ ସଂଯୁକ୍ତା l ପରେ ତାଙ୍କ ବାପା ତାଙ୍କୁ ଘରକୁ ନେଇ ଆସିଥିଲେ ।

ଭୂତ ପ୍ରେତ ହାଡବାଇ କିଛି ଲାଗିନଥିବା କହିଥିଲେ ସଂଯୁକ୍ତା l ଏହାକୁ ବାପଘର ବୁଝିପାରି ମେଡିକାଲ ନେଇଥିଲେ, ସେଠାରେ ତାଙ୍କର ନିମୋନିଆ ରୋଗ ହୋଇଥିବା ସେ ଜାଣିବାକୁ ପାଇଥିଲେ l ଭୂତ ପ୍ରେତ ଡାହାଣୀ ଏବଂ ହାଡ଼ବାଇ କିଛି ନଥିବା ପ୍ରମାଣିତ ହୋଇଥିଲା l ଏହାପରେ ବି ଶାଶୁ ଘର ଲୋକେ ବିଶ୍ୱାସ କରିବାକୁ ନାରାଜ ଥିଲେ l ସଂଯୁକ୍ତାଙ୍କୁ ଶୁଦ୍ଧି କରିବା ପାଇଁ ଗାଁ ଦାଣ୍ଡରେ ଲଣ୍ଡା ହେବାକୁ ପଡ଼ିଲା l ନିର୍ଯାତନା ଏବଂ ଲୋକଲଜ୍ଜ୍ୟାର ସବୁ ସୀମା ପାର କରିଦେଇଥିଲେ ସାହି ପଡ଼ିଶା ଏବଂ ଶାଶୁ ଘର ଲୋକେ l ଏଭଳି କଷ୍ଟ ଆଉ ଯେମିତି ଆଉ କାହାକୁ ନ ମିଳୁ ସେଥିପାଇଁ ସେ କରିଛନ୍ତି ଶପଥ l ଭୂତ ପ୍ରେତ ଭୟରେ ଗାଁ ଛାଡିଥିବା ଗୁଣ୍ଡୁରୀବାଡ଼ି ଗ୍ରାମବାସୀଙ୍କୁ ହେଉକିମ୍ବା ଅନ୍ୟ ଲୋକଙ୍କୁ ଏଥିପାଇଁ ସଚେତନ କରାଉଛନ୍ତି l ଅନ୍ଧବିଶ୍ୱାସକୁ ବିଶ୍ୱାସ ନ କରିବାକୁ ପ୍ରବର୍ତ୍ତାଉଛନ୍ତି l ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ତରଫରୁ ମିଳିଛି ସମ୍ମାନ l ଆଉ ପାଇଛନ୍ତି ବୀରାଙ୍ଗନାର ପରିଚୟ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details