ଓଡିଶା

odisha

ETV Bharat / state

ଗୋଷ୍ଠୀକନ୍ଦଳ ପାଇଁ ରାସ୍ତାରୋକ, ନୟାଗଡ଼-ରଣପୁର ରାସ୍ତାରେ ଯାତାୟାତ ଠପ

ଚାରିବର୍ଷ ପୁରୁଣା ଶତ୍ରୁତାକୁ ନେଇ ଗୋଟିଏ ଗୋଷ୍ଠୀ ଦାଦାଗିରି ଦେଖାଉଥିବାରୁ ଏହା ବିରୋଧରେ ରାସ୍ତାରୋକ କରାଯାଇଛି ।

By

Published : Aug 12, 2019, 9:35 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ଼: ଇଟାମାଟି ଥାନା ଅନ୍ତର୍ଗତ ଖଇରପଟି ଗାଁରେ ଗୋଷ୍ଠୀକନ୍ଦଳ ଯୋଗୁଁ ରାସ୍ତାରୋକ କରାଯାଇଛି । ଚାରିବର୍ଷ ପୂର୍ବରୁ ସମିତି ସଭ୍ୟ ବାବୁଲିଙ୍କୁ ରାଜନୈତିକ ଆକ୍ରୋଶ କାରଣରୁ ହତ୍ୟା କରାଯାଇଥିଲା । ଏହା ପରଠାରୁ ସରପଞ୍ଚ ଓ ସମିତି ସଭ୍ୟ ଗୋଷ୍ଠୀଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଛି । ଏପରିକି ସମିତି ସଭ୍ୟଙ୍କ ଗୋଷ୍ଠୀ ଗ୍ରାମବାସୀଙ୍କୁ ସେମାନଙ୍କ ଜମି ଚାଷ କରାଇ ଦେଉ ନାହାନ୍ତି । ତହସିଲଦାର, ପୋଲିସ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିପାରିନାହିଁ । ଏହାକୁ ବିରୋଧ କରି ଗ୍ରାମବାସୀ କେସ୍ତପଡା ଛକରେ ଧାରଣାରେ ବସିଥିଲେ । ଏଥିଯୋଗୁଁ ନୟାଗଡ଼-ରଣପୁର ରାସ୍ତାରେ ଯାତାୟତ ବନ୍ଦ ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ଇଟାମାଟି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ତେବେ ଯଦି ଜିଲ୍ଲା ପ୍ରଶାସନ ଏହାର କୌଣସି ସ୍ଥାୟୀ ସମାଧାନ ନ କରନ୍ତି, ତେବେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଗ୍ରାମବାସୀ କହିଛନ୍ତି ।

ସମିତି ସଭ୍ୟଙ୍କୁ ହତ୍ୟା କରାଯିବା ପରେ ସମିତି ସଭ୍ୟଙ୍କ ଗୋଷ୍ଠୀ ଗାଁରେ ଏକ ପ୍ରକାର ଗୁଣ୍ଡାରାଜ ଚଲେଇ ଆସୁଛନ୍ତି । ଗାଁରେ ଥିବା ଚାଷ ଜମିରେ କାହାକୁ ଚାଷ କରିବାକୁ ଛାଡୁନାହାନ୍ତି । ତିନିବର୍ଷ ହେବ ଲୋକଙ୍କର ଚାଷ ଜମି ପଡିଆ ପଡିଛି । ଏହି ଘଟଣାରେ ତହସିଲଦାର, ପୋଲିସ, ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ହୋଇ ନ ଥିଲା । ଆଜି ଏହାକୁ ବିରୋଧ କରି ଗ୍ରାମବାସୀ ମାନେ କେସ୍ତପଡା ଛକ ଉପରେ ଟାୟାର ଜାଳି ଧାରଣାରେ ବସିଥିଲେ ।

ସୂଚନାଯୋଗ୍ୟ, ଖଇରପଟି ଗାଁରେ ସରପଞ୍ଚ ଓ ସମିତିସଭ୍ୟ ମଧ୍ୟରେ ଗୋଷ୍ଠୀ କନ୍ଦଳ ସବୁବେଳେ ଲାଗି ରହିଥିଲା । ଗତ ଚାରି ବର୍ଷ ତଳେ ସରପଞ୍ଚଙ୍କ ଗୋଷ୍ଠୀ ସମିତିସଭ୍ୟଙ୍କୁ ଗୋଡେଇ ଗୋଡେଇ ଖଣ୍ଡାରେ ହାଣି ହତ୍ୟା କରିବାପରେ ଆଖିତାଡି ଦିଆଯାଇଥିଲା । ନୟାଗଡ଼ ପୋଲିସ ଏହି ଘଟଣାରେ ସରପଞ୍ଚଙ୍କ ସହ ପାଞ୍ଚ ଜଣ ଆଜି ପର୍ଯ୍ୟନ୍ତ ଜେଲରେ ଅଛନ୍ତି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details