ଓଡିଶା

odisha

ETV Bharat / state

ରଣପୁର ମାଗୁଛି ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା - ରଣପୁର ଖବର

ପୁରୀ ପରି ନୟାଗଡର ରଣପୁରରେ ମଧ୍ୟ ରହିଛି ମହାପ୍ରଭୁ ଶ୍ରୀ ଜଗନ୍ନଥଙ୍କ ମନ୍ଦିର । ଏଠାରେ ବି ହୁଏ ରଥଯାତ୍ରା । ପୁରୀ ଭଳି ଏଠାରେ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ପ୍ରତ୍ୟହ ମଙ୍ଗଳ ଆଳତି ଠାରୁ ଆରମ୍ଭ କରି ବଡ଼ସିଙ୍ଗାର, ରାତ୍ର ପହୁଡ଼ ପର୍ଯ୍ୟନ୍ତ ସମାନ ଭାବେ ନୀତିକାନ୍ତି ହୁଏ l ଅଧିକ ପଢନ୍ତୁ...

ରଣପୁର ମାଗୁଛି ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା
ରଣପୁର ମାଗୁଛି ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା

By

Published : Jun 18, 2021, 7:17 PM IST

ନୟାଗଡ଼ : ନୟାଗଡ ଜିଲ୍ଲା ରଣପୁରର ଜଗନ୍ନାଥ ମନ୍ଦିର । ଯାହା ଏବେ ମାଗୁଛି ଦ୍ବିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା । ଲୋକକଥା ଅନୁସାରେ ପୁରୀ ନ ଯାଇପାରିଲେ ରଣପୁର ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ବାସ ରହିଛି l ପୁରୀ ଜଗନ୍ନାଥ ମନ୍ଦିର ସହ ସାମଞ୍ଜସ୍ୟ ରଖୁଥିବା ନୟାଗଡ଼ ଜିଲ୍ଲା ରଣପୁରକୁ ସରକାର ଆନୁଷ୍ଠାନିକ ଭାବେ ଦ୍ବିତୀୟ ଶ୍ରୀକ୍ଷେତ୍ର ଘୋଷଣା କରିବାକୁ ଦାବି ଜୋର ଧରିଛି l କିମ୍ବଦନ୍ତୀ, କପିଳ ସଂହିତା ଆଦିରେ ରଣପୁର ଜଗନ୍ନାଥ ମନ୍ଦିର ସମ୍ପର୍କରେ ବର୍ଣ୍ଣନା ଥିବା କୁହାଯାଏ l

ରଣପୁର ମାଗୁଛି ଦ୍ୱିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା

କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ ରଣାସୁରପୁର ଯାହାକି ଆଧୁନିକ ରଣପୁରର ରାଜା ଉଦ୍ଧବ ନରେନ୍ଦ୍ର, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ଥିଲେ l ସେ ପ୍ରତିଦିନ ସ୍ନାନ ସାରି ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଅଶ୍ବ ଆରୋହଣ କରି ଶ୍ରୀକ୍ଷେତ୍ର ଯାଇଥାନ୍ତି l ଏକଦା ନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ଉଦ୍ଧବ ଶ୍ରୀକ୍ଷେତ୍ର ଯାଇ ନ ପାରିବାରୁ ବ୍ରତ ଭଙ୍ଗ ହୋଇଥିଲା l ପରଦିନ ପୁରୀ କଳ୍ପବଟ ମୂଳେ 7 ଦିନ ଧରି ସେ ଅଧିଆ ପଡିଲେ l ଫଳରେ ତତ୍କାଳୀନ ପୁରୀ ଗଜପତି ପ୍ରତାପରୁଦ୍ର ଦେବ ଏବଂ ଉଦ୍ଧବଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଯେ ପ୍ରଭୁଙ୍କ ଷୋଳ କଳାରୁ ଏକ କଳା ରଣପୁର ଯିବ l

ପ୍ରଭୁଙ୍କ ନିର୍ଦ୍ଦେଶ ଅନୁସାରେ ଉଦ୍ଧବ ନରେନ୍ଦ୍ର 1363 ସାଲରେ ରଣପୁରରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ l ତତ୍କାଳୀନ ଗଜପତି ପ୍ରତାପରୁଦ୍ର ଦେବ ରଣପୁର ରାଜା ଉଦ୍ଧବ ନରେନ୍ଦ୍ରଙ୍କ ଶିରରେ ଶାଢ଼ୀ ବାନ୍ଧି ନରେନ୍ଦ୍ର ଉପାଧି ରେ ବିଭୂଷିତ କରିଥିଲେ l ପୁରୀର ନରେନ୍ଦ୍ର ପୁଷ୍କରିଣୀ ରଣପୁର ରାଜା ଉଦ୍ଧବ ନରେନ୍ଦ୍ର ହିଁ ଖୋଳାଇ ଥିଲେ ।

ସେହିପରି ପୌରାଣିକ, କପିଳ ସଂହିତା, ସ୍କନ୍ଦପୁରାଣ ଏବଂ ଶ୍ରୀକ୍ଷେତ୍ର ମାହାତ୍ମ୍ୟ ଅନୁସାରେ ରଣପୁର ହିଁ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି ଦାବି କରାଯାଉଛି l କପିଳ ସଂହିତାରେ ଏନେଇ ବିଶେଷ ଭାବେ ବର୍ଣ୍ଣନା ରହିଥିବା ଐତିହାସିକ କୁହନ୍ତି l ମହାପ୍ରଭୁ, କଣ୍ଟିଲୋ ନୀଳମାଧଵ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଆସିବାପରେ ବିଶ୍ବାବସୁ ଏବଂ ତାଙ୍କ ବଂଶଧର ମାନେ ଶ୍ରୀକ୍ଷେତ୍ରରେ ସେବାପୂଜାର ଅଧିକାର ପାଇଥିଲେ ଏବଂ ବିଶ୍ବାବସୁଙ୍କ ଭାଇ ବିଶ୍ବବାସବ ଚକାଶୀଳା ପୂଜାକରି ରଣପୁରଗଡ଼ରେ ଶାସନ କଲେ l ଶ୍ରୀକ୍ଷେତ୍ର ଭଳି ରଣପୁରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନିକଟରେ ପ୍ରତ୍ୟହ ମଙ୍ଗଳ ଆଳତି ଠାରୁ ଆରମ୍ଭ କରି ବଡ଼ସିଙ୍ଗାର, ରାତ୍ର ପହୁଡ଼ ପର୍ଯ୍ୟନ୍ତ ସମାନ ଭାବେ ନୀତିକାନ୍ତି ହୁଏ l

ରଣପୁରରେ ମଧ୍ୟ ଛତିଶା ନିଯୋଗ ସେବା ସହ ପୁରୀ ଭଳି ମହାପ୍ରଭୁଙ୍କ ଦ୍ବାଦଶ ଯାତ୍ରା ଅନୁଷ୍ଠିତ ହୁଏ l ଶ୍ରୀକ୍ଷେତ୍ର ଭଳି ଏଠାରେ ଚନ୍ଦନ ଯାତ୍ରା ,ଝୁଲଣ ଯାତ୍ରା,ସ୍ନାନଯାତ୍ରା ,ସହ 12 ମାସରେ 13 ଯାତ୍ରା ହୋଇଥାଏ lଶ୍ରୀକ୍ଷେତ୍ର ଭଳି ଏଠାରେ ରଥଯାତ୍ରା ପାଇଁ ବାଙ୍କୀ ଚର୍ଚିକାଙ୍କ ଠାରୁ ଆଜ୍ଞାମାଳ ଆସି ରଥ ଅନୁକୂଳ ହୁଏ l ଯାହାକି ଅନ୍ୟ କେଉଁଠାରେ ହୋଇ ନ ଥାଏ l ପୁରୀ ଗଠନ ଶୈଳୀ ରେ ରଣପୁରରେ ବଡ଼ ଦାଣ୍ଡ, ଶାମୁକାସାହି, ବାଲି ସାହି, ଗୁଣ୍ଡିଚା ମନ୍ଦିର ରହିଛି l ପୁରୀ ଭଳି ରଥ ନିର୍ମାଣ ସହ ରଥଯାତ୍ରା ବି ହୋଇଥାଏ l ରଣପୁରରେ ପୁରୀ ପରୀ ସମୁଦ୍ର ନଥିବାରୁ ମନ୍ଦିର ଦକ୍ଷିଣ ପାର୍ଶ୍ବରେ ସାଗର ପୋଖରୀ ମଧ୍ୟ ରହିଛି l ଯାହା ସମୁଦ୍ର ସହ ସାମଞ୍ଜସ୍ୟ ରଖେ l

ଭୌଗୋଳିକ, ପୌରାଣିକ, କିମ୍ବଦନ୍ତୀ ଏବଂ ଇତିହାସରେ ରଣପୁର ଦ୍ୱିତୀୟ ଶ୍ରୀକ୍ଷେତ୍ର ଦାବିଦାର ବୋଲି ସ୍ପଷ୍ଟ ହୋଇଛି l ତେଣୁ ରଣପୁରର ସେବାୟତ ,ଜଗନ୍ନାଥ ସେନା ଏବଂ ଗବେଷକ ମାନେ ଗତ ବର୍ଷ ସଂସ୍କୃତି ମନ୍ତ୍ରୀଙ୍କୁ ଭେଟି ଦ୍ବିତୀୟ ଶ୍ରୀକ୍ଷେତ୍ର ଘୋଷଣା ପାଇଁ ଦାବି କରିଥିଲେ l ତୁରନ୍ତ ରଣପୁରକୁ ଦ୍ବିତୀୟ ଶ୍ରୀକ୍ଷେତ୍ରର ମାନ୍ୟତା ଦେବା ସହ ଜଗନ୍ନାଥ ମନ୍ଦିର ବିକାଶ ପାଇଁ ଦାବୀ ହୋଇଛି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details