ନୟାଗଡ଼: ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ ଓ ଛାତ୍ରଛାତ୍ରୀ l ନୟାଗଡ଼ ଜିଲ୍ଲା ବାଇଗୁଣିଆ ପଞ୍ଚାୟତ ବୋରଗାଁ ସ୍କୁଲ ୧୯୫୪ ମସିହାରେ ସ୍ଥାପିତ ହୋଇଥିଲା । ଏହି ବିଦ୍ୟାଳୟରେ ବର୍ତ୍ତମାନ ୧୩୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲା ବେଳେ ଏପର୍ଯ୍ୟନ୍ତ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏନେଇ ବିଭାଗୀୟ କତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଆଜି(ଶୁକ୍ରବାର) ସ୍କୁଲ ଆଗରେ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ଧାରଣ ଦେଇଛନ୍ତି l
ତେବେ ଅଭିଯୋଗ ମୁତାବକ ଦୀର୍ଘ ୧୦ ବର୍ଷ ଧରି ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ବରେ ଥିବା ସୁବାଶିନୀ ଦେଇ ବିଦ୍ୟାଳୟର ସାମୂହିକ ବିକାଶ ପାଇଁ କୌଣସି ଚେଷ୍ଟା କରୁନାହାନ୍ତି କି ତାଙ୍କ ସ୍ବାମୀ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ଠିକରେ ସ୍କୁଲ ମଧ୍ୟ ଆସୁନାହାନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଠିକରେ ଶିକ୍ଷାଦାନ ହେଉନାହିଁ । ଅଫିସ ଗୃହରେ ମୋବାଇଲରେ ସମୟ ବିତାଇବା ଏବଂ ନିମ୍ନ ମାନର ଖାଦ୍ୟ ପିଲାମାନଙ୍କୁ ଦେବା ଆଦି ଅଭିଯୋଗକୁ ନେଇ ଗ୍ରାମବାସୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।