ନୟାଗଡ଼: ସଞ୍ଜ ନଇଁଲେ ଥରହର ଗାଁ ଲୋକେ । ଗୋଟିଏ ପରେ ଗୋଟିଏ ଗଡି ଚାଲିଛି ମୁଣ୍ଡ । ବିଶେଷକରି ଗାଁର ନବ ବିବାହିତଙ୍କ ମୃତ୍ୟୁ ଘଟୁଛି । ଗାଁରେ ରହିଥିବା କୌଣସି ଅଦୃଶ ଶକ୍ତି ବା ଭୂତ ଏପରି ଜଣକ ପରେ ଜଣଙ୍କ ମୁଣ୍ଡ ନେଉଥିବା କହୁଛନ୍ତି ଗ୍ରାମବାସୀ । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଗୁଣ୍ଡୁରୀବାଡି ଗ୍ରାମରୁ ସାମ୍ନାକୁ ଆସିଛି ଏହି ଘଟଣା । ଯେଉଁଠି ଭୂତ ପାଖରୁ ଜୀବନ ବଞ୍ଚାଇ ପ୍ରାଣ ବିକଳରେ ଗ୍ରାମବାସୀମାନେ ଭିଟାମାଟି ଛାଡି ପ୍ରାୟ ବର୍ଷେ ହେବ ଆଖପାଖ ଅଞ୍ଚଳରେ ଆଶ୍ରୟ ନେଇଛନ୍ତି । କାରଣ ଏଠାକର ଲୋକଙ୍କ କହିବା ମୁତାବକ, ସେମାନେ ଯଦି ଗାଁରେ ରୁହନ୍ତି, ତାହାହେଲେ ସେମାନଙ୍କର ମଧ୍ୟ ମୃତ୍ୟୁ ଘଟିବ । ବିଜ୍ଞାନ ଯୁଗରେ ଏଭଳି ବିଚିତ୍ର ଘଟଣା ଏବେ ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ।
ଗୁଣ୍ଡୁରୀବାଡି ଗ୍ରାମର ହରିଜନସାହିରେ ରହୁଥିବା ପ୍ରାୟ 6 ପରିବାର ଏବେ ବର୍ଷ ହେବ ଗାଁରେ ରହୁନାହାଁନ୍ତି । ବହୁ ଟଙ୍କା ଖର୍ଚ୍ଚ କରି ତିଆରି କରିଥିବା ଘରଦ୍ବାର ମଧ୍ୟ ସେମିତି ପଡିରହି ଭୂତକୋଠୀରେ ପରିଣତ ହେଲାଣି । କାରଣ ଗତ 4 ବର୍ଷ ମଧ୍ୟରେ ଗ୍ରାମର 5 ଜଣ ପୁରୁଷଙ୍କ ଅକାଳରେ ମୃତ୍ୟୁ ଘଟିଛି । ସେହିପରି ବର୍ଷକ ମଧ୍ୟରେ ଦୁଇ ନବ ବିବାହିତା ବିଧବା ସାଜିଲେଣି । ଏପରିକି ଗାଁରେ ଆଗରୁ ବସବାସ କରୁଥିବା ଗୋଟିଏ ପରିବାରର ସମସ୍ତ ପୁରୁଷ ସଦସ୍ୟ ଅକାରଣରେ ଆଖି ବୁଜିଥିବା କୁହାଯାଉଛି । ତେବେ ସେହି ସମସ୍ତ ବ୍ୟକ୍ତିଙ୍କ ଶରୀରରେ ଭୂତ ଶବାର ହୋଇ ତାଙ୍କ ଜୀବନ ନେଉଥିବା କହିଛନ୍ତି ସେଠାକାର ଗ୍ରାମବାସୀ । ବିଶେଷକରି ଭୂତଟି ନବ ବିବାହିତ ପୁରୁଷଙ୍କୁ ଟାର୍ଗେଟ କରୁଥିବା ଶୁଣିବାକୁ ମିଳିଛି ।