ଓଡିଶା

odisha

ETV Bharat / state

ପରୀ ହତ୍ୟାକାଣ୍ଡ ମାମଲା; ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା SIT - ହତ୍ୟାକାଣ୍ଡ ଖବର

ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ଓ କ୍ଷତି ପୂରଣ ଆବେଦନ ମାମଲାର ଶୁଣାଣି କଲେ ହାଇକୋର୍ଟ । ତଦନ୍ତକାରୀ ସଂସ୍ଥା ଦାଖଲ କଲା ରିପୋର୍ଟ । କଣ ନିର୍ଦ୍ଦେଶ ଦେଲେ କୋର୍ଟ ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Pari  murder case
Pari murder case

By

Published : Dec 16, 2020, 12:37 PM IST

କଟକ: ବହୁଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ମାମଲାର ସିବିଆଇ ତଦନ୍ତ ପ୍ରାର୍ଥନା କରି ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଦୁଇଟି ଯାକ ମାମଲାର ଆଜି ଏକତ୍ର ଶୁଣାଣି କରିଛନ୍ତି ହାଇକୋର୍ଟ । ସେପଟେ ଘଟଣାର ତଦନ୍ତ କରୁଥିବା ଏସଆଇଟି ଆଜି ହାଇକୋର୍ଟରେ ତଦନ୍ତ ରିପୋର୍ଟ ଦାଖଲ କରିଛି । ଏସଆଇଟି ରିପୋର୍ଟ ବନ୍ଦ ଲଫାପାରେ ଦାଖଲ କରିଥିବା ବେଳେ, ମାମଲରା ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର 24ରେ ହେବ ।

ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ ଏସପିଙ୍କୁ ପୂର୍ବରୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ତଦନ୍ତର ଅଗ୍ରଗତି ସମ୍ପର୍କରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପୂର୍ବ ନିର୍ଦ୍ଦେଶ ଅନୁସାରେ ଆଜି ଏସପି ସତ୍ୟପାଠ ଦାଖଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପରୀ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ହାଇକୋର୍ଟରେ ଏକ ଆବେଦନ ହୋଇଛି । ଆଇନଜୀବୀ ପଦ୍ମାଳୟା ମହାପାତ୍ର ଓ ଭାରତୀୟ ବିକାଶ ପରିଷଦ ପକ୍ଷରୁ ପୃଥକ ପୃଥକ ଭାବେ ଦୁଇଟି ମାମଲା ଦାୟର କରାଯାଇଛି। ଉଭୟ ପିଟିସନରେ ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦେଶକ, ନୟାଗଡ ଜିଲ୍ଲାପାଳ ଓ ଏସପି, ନୟାଗଡ ସଦର ଥାନାଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲାରେ ଆବେଦନକାରୀ ଦର୍ଶାଇଛନ୍ତି ଯେ, ବାହ୍ୟ ଚାପ ମୁକ୍ତ ତଦନ୍ତକାରୀ ସଂସ୍ଥାକୁ ଏହି ତଦନ୍ତ ଦାୟିତ୍ବ ଦିଆଯାଉ। ପରୀ ବାପାଙ୍କ ଅଭିଯୋଗ ଅନୁଯାୟୀ ଅଙ୍ଗ ତସ୍କରୀ ରାକେଟ ଏହା ପଛରେ ଥିବା ବେଳେ ଏହା ଜଘନ୍ୟ ଅପରାଧ। ତେଣୁ ଯେତେ ପ୍ରଭାବଶାଳୀ ବ୍ୟକ୍ତି ଥାନ୍ତୁ ନା କାହିଁକି ଏହାର ସଠିକ ତଦନ୍ତ କରାଯାଉ ବା ସିବିଆଇ ଦ୍ବାରା ତଦନ୍ତ କରାଯାଉ ବୋଲି ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଏହା ସହ ପରୀ ପରିବାର ମାନସିକ ଚିନ୍ତାରେ ଥିବାବେଳେ ସେମାନଙ୍କୁ ଗାଁରୁ ବିତାଡିତ କରାଯାଇଛି। ତେଣୁ ପୀଡିତାଙ୍କ ପରିବାରକୁ 25 ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ପ୍ରାର୍ଥନା କରାଯାଇଛି।

ସେହିପରି ଆଇନଜୀବୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ହୋଇଥିବା ଆବେଦନରେ ଏହି ଘଟଣାର ତଦନ୍ତ ପାଇଁ ଏସଆଇଟି କିମ୍ବା ସିବିଆଇ ଦ୍ବାରା କରିବା ପାଇଁ ଆବେଦନ ହୋଇଛି । ସେହିଭଳି ପରୀ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ନୟାଗଡ ଏସପିଙ୍କୁ ନିର୍ଦ୍ଦେଶ ଦେବା ସହ ସରକାରଙ୍କ ପକ୍ଷରୁ ପରିବାରକୁ କ୍ଷତିପୂରଣ ଯୋଗାଇ ଦେବାକୁ ପିଟିସନରେ ଦର୍ଶାଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details