ଋଷର ସର୍ବୋଚ୍ଚ ଶୃଙ୍ଗରେ ଜାତୀୟ ପତାକା ଉଡ଼ାଇଲେ ଓଡ଼ିଆ ପୁଅ ସୌଭାଗ୍ୟ ଭୁବନେଶ୍ବର:ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍ବ୍ରସ୍ (Mount El'brus) ଚଢି ଓଡ଼ିଶା ଫେରିଲେ ଆଇରନ୍ମ୍ୟାନ୍ ସୌଭାଗ୍ୟ । ବିଦେଶ ମାଟିରେ ଜାତୀୟ ପତାକା ଉଡ଼ାଇବା ସହ ନିଜ ନାଁରେ କରିଛନ୍ତି ଏହି ରେକର୍ଡ । ତେବେ ଆଜି ସେ ଓଡ଼ିଶା ଫେରିଥିବା ବେଳେ ତାଙ୍କୁ ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ସ୍ବାଗତ କରାଯାଇଛି । ଏହାସହ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ମଧ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।
ବିଦେଶ ମାଟିରେ ଜାତୀୟ ପତାକା ଉଡ଼ାଇ ସାରା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ସୌଭାଗ୍ୟ । ୭୭ତମ ସ୍ବାଧୀନତା ଦିବସ ପୂର୍ବରୁ ୟୁରୋପ ଓ ଋଷର ସର୍ବୋଚ୍ଚ ଶୃଙ୍ଗ ୫୬୪୨ ମିଟର ଉଚ୍ଚ ମାଉଣ୍ଟ ଏଲ୍ବ୍ରସରେ ଜାତୀୟ ପତାକା ଉଡ଼ାଇ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ଓଡ଼ିଆ ପୁଅ ସୌଭାଗ୍ୟ । ଏହା ସହ ନୟାଗଡ଼ର ଗୌରବ ତଥା ପର୍ବତାରୋହୀ ସୌଭାଗ୍ୟ କୁମାର ରଥ ଇତିହାସ ସୃଷ୍ଟି କରିଛନ୍ତି । ଏହି ଦୁଃସାହାସିକ ଯାତ୍ରା ଶେଷ କରିବା ପରେ ସେ ପ୍ରଥମେ ନୂଆଦିଲ୍ଲୀରେ ପହଞ୍ଚିଥିଲେ । ତାପରେ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।
ଏହା ବି ପଢନ୍ତୁ- ୟୁରୋପ ମହାଦେଶର ସର୍ବୋଚ୍ଚ ଗିରିଶୃଙ୍ଗରେ ଶୁଭିଲା ‘ଜୟ ଜଗନ୍ନାଥ’
ସେ ଭୁବନେଶ୍ବରରେ ପହଞ୍ଚିଲା ପରେ ସଫଳତାର ଶ୍ରେୟ ମହାପ୍ରଭୁ ଜଗନ୍ନାଥ, ଓଡ଼ିଶାବାସୀ, ଆକାଶବାଣୀ ଏବଂ ନୟାଗଡ଼ ବିକାଶ ମଞ୍ଚକୁ ଧନ୍ୟବାଦ ଅର୍ପଣ କରିଛନ୍ତି । ସୌଭାଗ୍ୟଙ୍କୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ, ନୟାଗଡ଼ ବିକାଶ ମଞ୍ଚ ପକ୍ଷରୁ ଭୁବନେଶ୍ବର ବିମାନବନ୍ଦରରେ ସ୍ବାଗତ କରାଯାଇଥିଲା । ସୌଭାଗ୍ୟଙ୍କ ଏହି ସଫଳତାରେ ନୟାଗଡ଼ ବିକାଶ ମଞ୍ଚର ଆବାହକ ଶୁଭ୍ରାଂଶୁ ପଣ୍ଡା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, " ସୌଭାଗ୍ୟ କେବଳ ନୟାଗଡ଼ ନୁହେଁ, ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣିଛନ୍ତି ।" କ୍ରୀଡ଼ା ବିଭାଗ ପକ୍ଷରୁ ସଞ୍ଜୀବ ମଙ୍ଗରାଜ, ଡାକ୍ତର ପ୍ରବୀର ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।
ସୌଭାଗ୍ୟ କୁମାର ରଥ ଏହି ସଫଳତା ପାଇବା ପରେ କହିଛନ୍ତି, " ଅଗଷ୍ଟ ୧୩ ଭାରତୀୟ ସମୟ ଅନୁସାରେ ଦିନ ୧୧.୧୦ ଟାରେ ୟୁରୋପ ଓ ଋଷର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲ୍ବ୍ରସ୍ (୫୬୪୨ ମିଟର) ଆରୋହଣ କଲି । ପ୍ରବଳ ଝଡ଼ ଓ ତୁଷାରପାତ ସତ୍ତ୍ବେ ଏହି ଦଳର ସମସ୍ତ ସଦସ୍ୟ ସଫଳ ହେଲେ । ଏହି ଦଳରେ ୪ ଋଷୀୟ , ୨ ଭାରତୀୟ ଏବଂ ୩ ଜଣ ପ୍ରଶିକ୍ଷକ ଯାଇଥିଲେ । ମୋ ସଫଳତାର ଶ୍ରେୟ ମୁଁ ମହାପ୍ରଭୁ ଜଗନ୍ନାଥ, ଆକାଶବାଣୀ ଏବଂ ନୟାଗଡ଼ ବିକାଶ ମଞ୍ଚକୁ ଅର୍ପଣ କରୁଛି ।"
ସୂଚନାଯୋଗ୍ୟ, ଅଗଷ୍ଟ ୪ରେ ସୌଭାଗ୍ୟ ନୟାଗଡ଼ରୁ ଯାତ୍ରା ଆରମ୍ଭ କରିଥିଲେ । ଅଗଷ୍ଟ ୫ରେ ଦିଲ୍ଲୀରୁ ମସ୍କୋ ଯାତ୍ରା କରିଥିଲେ । ଅଗଷ୍ଟ ୭ରେ ମସ୍କୋରୁ ‘ମିନେରାଲନୀ ଭଡି’ ଯାତ୍ରା କରିଥିଲେ । ଅଗଷ୍ଟ ୮ ତାରିଖରେ ଦୁଃସାହସିକ ପର୍ବତାରୋହଣ ଆରମ୍ଭ କରିଥିଲେ । ଅଗଷ୍ଟ ୧୩ ତାରିଖରେ ସୌଭାଗ୍ୟ ତାଙ୍କର ଦୁଃସାହିସକ ପର୍ବତାରୋହଣ ଶେଷ କରିଥିଲେ । ଆଉ ଆଜି ସେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର