ନୟାଗଡ଼:ଜିଲ୍ଲା ତଥା ରାଜ୍ୟର ପ୍ରସିଦ୍ଧ ଲଡୁବାବାଙ୍କ(Ladu baba temple) ପୀଠରେ ଚାପ ଖେଳୁଥିବାବେଳେ ଡଙ୍ଗା ବୁଡି ଘଟଣା (Boat Overturns During Chapa Khela) । ମନ୍ଦିର ପରିଚାଳକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ । ନୋଟିସର ଉତ୍ତର ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି । ଗତ ସୋମବାର ରାତି ପ୍ରାୟ ୧୧ ଟା ବେଳେ ଚାପ ଖେଳୁଥିବାବେଳେ, ଚନ୍ଦନ ପୁଷ୍କରିଣୀରେ ଡ଼ଙ୍ଗା ବୁଡିଯାଇଥିଲା । ଅଳ୍ପକେ ବର୍ତ୍ତିଯାଇଥିଲେ ଭକ୍ତ ଓ ସେବାୟତ ।
ଭଉଁରୀ ଯାତ୍ରା ଅବସରରେ ସୋମବାର ରାତି ସାଢେ ୧୧ଟା ସମୟରେ ଲଡୁବାବାଙ୍କ ମନ୍ଦିର ନିକଟରେ ଥିବା ପୁଷ୍କରିଣୀରେ ଚାପ ଖେଳ ହେଉଥିଲା । ୨ଟି ଡ଼ଙ୍ଗାକୁ ମିଶାଇ ଗୋଟିଏ ଡ଼ଙ୍ଗା କରାଯାଇଥିଲା । ଏହି ଡ଼ଙ୍ଗାରେ ସେବାୟତ ଓ ଭକ୍ତ ରହିଥିଲେ । ଚନ୍ଦନ ପୁଷ୍କରିଣୀରେ ୨୧ ଘେରା ଭଉଁରୀ ବୁଲିବା ପୂର୍ବରୁ ୨୦ ଘେରାରେ ଅଘଟଣ ଘଟିଥିଲା । ଡ଼ଙ୍ଗାରେ ପ୍ରାୟ ୩୩ ଜଣ ଥିଲେ । ଯାହା ଡ଼ଙ୍ଗାର କ୍ଷମତା ବାହାରେ ବୋଲି କୁହାଯାଉଛି । ୨୦୦୬ ମସିହାରେ ଏହି ଡ଼ଙ୍ଗା ତିଆରି କରାଯାଇଥିଲା । ଡ଼ଙ୍ଗାରେ ପାଣି ପଶୁଥିବା କଥା ଜାଣିବି ଡଙ୍ଗା ବ୍ୟବହାର କରାଯାଇଥିଲା । ଡଙ୍ଗାରେ ଅତ୍ୟଧିକ ଲୋକ ବସିବା ଯୋଗୁଁ ଡଙ୍ଗାରେ ପାଣି ପଶିଯାଇ ହଠାତ ବୁଡି ଯାଇଥିଲା ।