ନୟାଗଡ଼: ରାଜସୁନାଖଳା ପଞ୍ଚାୟତର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ସଫେଇ କରି ସୃଷ୍ଟି କଲେ ଉଦାହରଣ । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଦିଲ୍ଲୀ ଦରବାରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ହେଲେ ପୁରସ୍କୃତ । ପଞ୍ଚାୟତକୁ ସ୍ବଚ୍ଛ ରଖିବା ଉଦ୍ୟମରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନୋନୀତ ପରେ ଦିଲ୍ଲୀରେ ପୁରସ୍କୃତ ହୋଇଛନ୍ତି ଯୁବ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ । ତେବେ ତାଙ୍କର ଏଭଳି ଉଦ୍ୟମ ପାଇଁ ସାଧାରଣରୁ ଛୁଟିଛି ପ୍ରଶଂସାର ସୁଅ ।
ସ୍ବଚ୍ଛତା ପାଇଁ ଲୋକଙ୍କୁ ଦେଇଥିଲେ ପ୍ରତିଶୃତି
ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜସୁନାଖଳା ପଞ୍ଚାୟତର ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି ଚିତ୍ତରଞ୍ଜନ ପ୍ରଧାନ । ଏହି ନିର୍ବାଚନ ସମୟରେ ସେ ଏକ ସୁସ୍ଥ ଓ ସ୍ବଚ୍ଛ ପଞ୍ଚାୟତ ନିର୍ମାଣ କରିବା ପାଇଁ ପଞ୍ଚାୟତର ଜନସାଧାରଣଙ୍କୁ ପ୍ରତିଶୃତି ଦେଇଥିଲେ । ସେଥିପାଇଁ ନିର୍ବାଚନରେ ବିଜୟଲାଭ କରିବା ପରେ କେହି କିଛି କହିବା ଆଗରୁ ନିଜର ପ୍ରତିଶୃତି ପାଳନ କରିବା ପାଇଁ ନିଜେ ସଫେଇ କାର୍ଯ୍ୟରେ ଲାଗି ଯାଇଥିଲେ । ପଞ୍ଚାୟତର କାର୍ଯ୍ୟ କରିବା ସହ ପ୍ରତି ରବିବାର ନିଜେ ହାତରେ କୋଡ଼ି କୋଦାଳ ଧରି ଟ୍ରଲି ସାହାଯ୍ୟରେ ଗାଁକୁ ଗାଁ ବୁଲି ସଫେଇ କରିଥିଲେ । ଯୁବ ସରପଞ୍ଚଙ୍କର ଏଭଳି ଉଦ୍ୟମ ଯୋଗୁଁ ବିଭିନ୍ନ ସ୍ତରରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟିଥିଲା ।
ନିଜ ଖର୍ଚ୍ଚରେ କରିଥିଲେ ସଫେଇ ବ୍ୟବସ୍ଥା
ପଞ୍ଚାୟତକୁ ସଫା ରଖିବା ପାଇଁ ପ୍ରଥମେ ନିଜେ ନିଜ ପକେଟ ପଇସାରେ ଏକ ଟ୍ରାକ୍ଟର କିଣିଥିଲେ ସରପଞ୍ଚ । ଜଣେ ଡ୍ରାଇଭର ଏବଂ ଜଣେ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ନିଜ ହାତରୁ ଦରମା ଦେଲେ । ପଞ୍ଚାୟତର ବିଭିନ୍ନ ସ୍ଥାନରେ ଡଷ୍ଟବିନ ସ୍ଥାପନ କଲେ । ପ୍ରତିଦିନ ସକାଳୁ ଏହି ଡଷ୍ଟବିନ ସବୁରୁ ଅଳିଆ ଆବର୍ଜନାକୁ ଏହି ଟ୍ରାକ୍ଟରରେ ନିର୍ଦ୍ଦିଷ୍ଟ ସ୍ଥାନରେ ନେଇ ପକାଉଛନ୍ତି । ଏହି ପ୍ରକ୍ରିୟାରେ ଟଙ୍କାଟିଏ ସରକାରୀ ଅର୍ଥ ଖର୍ଚ୍ଚ କରିନଥିବା କହିଛନ୍ତି ଚିତ୍ତରଞ୍ଜନ । ରାଜସୁନାଖଳା ଭଳି ବୃହତ ବଜାରକୁ ସ୍ବଚ୍ଛ ରଖିବା ତାଙ୍କର ସ୍ବପ୍ନ । ଯାହା ତାଙ୍କୁ ଦିଲ୍ଲୀ ଦରବାରରେ ପହଞ୍ଚାଇଛି ।