ନୟାଗଡ଼: ଆଳୁ ଖୋଳୁ ଖୋଳୁ ମହାଦେବ ଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲାରେ । ବଡ଼ ଧରଣର କାର ଡକାୟତି ଗ୍ୟାଙ୍ଗକୁ ଗିରଫ କଲା ନୟାଗଡ଼ ପୋଲିସ l ନୟାଗଡ଼ ସଦରଥାନା ପୋଲିସ ଏକ କାର ଚୋରୀ ଘଟଣାର ତଦନ୍ତ କରୁଥିବା ସମୟରେ ବଡ଼ ଡକାୟତ ଗ୍ୟାଙ୍ଗ ସମ୍ପର୍କରେ ସୂଚନା ପାଇଥିଲା।
ଦୁଇ ଜଣ ଡକାୟତକୁ ପୋଲିସ ଗିରଫ କରିବା ସହ ୭ଟି ମୋବାଇଲ ଜବତ କରିଛି । ଚୋରୀ ହୋଇଥିବା କାରକୁ ଉଦ୍ଧାର କରାଯାଇଛି । ଏନେଇ ନୟଗଡ଼ ଏସପି ଅଲେଖ ଚନ୍ଦ୍ର ପାହି ସୂଚନା ଦେଇଛନ୍ତି । ସୂଚନାନୁସାରେ, ଗତ ନଭେମ୍ବର ୧୫ ତାରିଖରେ ସଦରଥାନା ଅନ୍ତର୍ଗତ କୋଡ଼ିଏକାହାଣିଆ ଗ୍ରାମର ଦେବାଶିଷ ମହାପାତ୍ରଙ୍କ କାରକୁ ତାଙ୍କର ଜଣେ ବନ୍ଧୁ ସୁଧର ଗୌଡ଼ ମାଗି ନେଇଥିଲେ । ଏହି କାର ନେଇ ସେ ଯିବା ସମୟରେ ସିପାହୀ ଅସୁରିଢିପା ନିକଟରେ ୬ ଜଣ ବ୍ୟକ୍ତି ଗୋଟିଏ ଆପାଚି ବାଇକ ଏବଂ ସ୍କୁଟିରେ ଆସି ଅଟକାଇଥିଲେ । ପିସ୍ତଲ ଓ ଭୁଜାଲି ଦେଖାଇ ସେମାନେ ୮ ହଜାର ଟଙ୍କା , ମୋବାଇଲ ଫୋନ୍ ଓ କାର ଲୁଟି ନେଇଥିଲେ । ଏହି ଘଟଣାକୁ ନେଇ ସଦରଥାନାରେ ଅଭିଯୋଗ ପାଇବା ପରେ ପୋଲିସ ଛାନଭିନ୍ ଆରମ୍ଭ କରିଥିଲା । ଡକାୟତମାନେ ଉକ୍ତ କାର ଏବଂ ସ୍କୁଟି ନେଇ ନଭେମ୍ବର ୧୭ ତାରିଖ ଦିନ ଖଣ୍ଡପଡ଼ା ରାଜକିଆରି ନିକଟରେ ଥିବା ପେଟ୍ରୋଲ ପମ୍ପରେ ଆତଙ୍କ ରଚାଇ ଲୁଟପାଟ କରିଥିଲେ ।