ନୟାଗଡ଼:ନୟାଗଡ଼ରୁ ଗହଣା ଲୁଟେରା ଗ୍ୟାଙ୍ଗର ୮ଜଣ ଡକାୟତ ଗିରଫ (8 inter district robbery gang arrested) । ଲୁଟେରାଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ଏହାସହ ଲୁଟେରାଙ୍କ ଠାରୁ ପ୍ରାୟ ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ସୁନା ଓ ରୂପା ଅଳଙ୍କାର ଜବତ କରିଛି । ଏହି ଘଟଣାରେ ଗହଣା ଲୁଟେରା ଗ୍ୟାଙ୍ଗର ୮ଜଣ ସଦସ୍ୟଙ୍କୁ ବାନ୍ଧିଛି ନୟାଗଡ଼ ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି, ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପାହି ।
ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ୮ ଡକାୟତ ଗିରଫ, 30 ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ ନୟାଗଡ଼ ଅଞ୍ଚଳର ଏହି ଲୁଟେରା ଗ୍ୟାଙ୍ଗ ଜିଲ୍ଲା ବାହାରେ ବିଭିନ୍ନ ସମୟରେ ସୁନା ଓ ରୂପା ଅଳଙ୍କାର ଲୁଟ୍ କରିଥିବା ନେଇ ଅଭିଯୋଗ ରହିଛି । ଏନେଇ ବିଭିନ୍ନ ଥାନାରେ ପ୍ରାୟ 10ରୁ ଅଧିକ ମାମଲାରେ ଏମାନଙ୍କ ନାଁରେ ଅଭିଯୋଗ ହୋଇଥିବା ନେଇ ନୟାଗଡ଼ ଏସପି ସୂଚନା ଦେଇଛନ୍ତି । ଏହି ଲୁଟେରା ଗ୍ୟାଙ୍ଗର ପ୍ରାୟ ୨୦ ଜଣ ଲୁଟେରାଙ୍କ ମଧ୍ୟରୁ ପୋଲିସ ୬ ଜଣ ଲୁଟେରାଙ୍କୁ ଗିରଫ କରିଛି । ଏହାସହ ଚୋରି ସାମଗ୍ରୀ କିଣିଥିବା ୨ ଜଣ ସୁନା ବ୍ୟବସାୟୀଙ୍କୁ ମଧ୍ୟ ନୟାଗଡ଼ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି (robbery gang arrested)। ଗିରଫ ଅଭିଯୁକ୍ତମାନେ ହେଲେ ଫତେଗଡ଼ ଥାନା ଅଞ୍ଚଳର ଶଙ୍କର ପଲେଇ, ଓଡ଼ଗାଁର ମନୋରଞ୍ଜନ ମହାରଣା, ଶରତ ଚନ୍ଦ୍ର ମହାରଣା, ପୂର୍ଣ୍ଣଚନ୍ଦ୍ର ମହାରଣା, ଇଟାମାଟିର ରମେଶ ଲେଙ୍କା, ମିଟୁ ସ୍ୱାଇଁ ।
ସେହିପରି ଚୋରି ସାମଗ୍ରୀ କିଣୁଥିବା ୨ ସୁନା ବ୍ୟବସାୟୀ ହେଲେ ଇଟାମାଟିର କାଳନ୍ଦୀ ସୁବୁଦ୍ଧି ଓ ନୟାଗଡ଼ର ସଞ୍ଜୟ ସିରକେ । ଏହି ଲୁଟେରାମାନେ ଗଞ୍ଜାମ, ବୌଦ୍ଧ, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଟ୍ କରିଥିବା କହିଛନ୍ତି ଏସପି । ଏନେଇ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପାହି କହିଛନ୍ତି, ''ଗତ ୨୨ ତାରିଖ ଦିନ ସ୍ଥାନୀୟ ଅଞ୍ଚଳର ବାଳକୃଷ୍ଣ ପାଣିଗ୍ରାହୀଙ୍କ ଘରେ ଚୋରି ହୋଇଥିଲା । ଏ ସମ୍ପର୍କରେ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ଆମ ପୋଲିସ ଟିମ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ପୋଲିସ କିଛି ସୁରାକ ପାଇଥିଲା । ତାହାକୁ ଭିତ୍ତି କରି ତଦନ୍ତ କରୁଥିବାବେଳେ ଜଣାପଡ଼ିଥିଲା ଏହି ସହରରେ ଏକ ଲୁଟେରା ଗ୍ୟାଙ୍ଗ ରହିଛି । ଯେଉଁଥିରେ ୨୦ ଜଣ ଲୁଟେରା ସାମିଲ ଅଛନ୍ତି । ଏହି ୨୦ ଜଣ ଲୁଟେରା ବିଭିନ୍ନ ସ୍ଥାନରେ ବୁଲି ଲୁଟ୍ କରିଥାନ୍ତି । ଏମାନଙ୍କ ମଧ୍ୟରୁ ପୋଲିସ ୮ଜଣ ଲୁଟେରାଙ୍କୁ କାବୁ କରିଛି ।"
ଏସପି ଆହୁରି ମଧ୍ୟ କହିଛନ୍ତି, "ଗିରଫ ପରେ ଲୁଟେରାମାନେ ଗହଣା ଲୁଟ୍ କରିଥିବା ସତ ମାନିଥିଲେ (robbery gang arrested by Nayagarh police) । ତେବେ ପୂର୍ବରୁ ଏମାନଙ୍କ ନାଁରେ ମଧ୍ୟ ଅନେକ ମାମଲା ରାଜ୍ୟ ତଥା ରାଜ୍ୟ ବାହାରେ ରୁଜୁ ହୋଇଛି । ଗିରଫ ପରେ ଏମାନଙ୍କ ଠାରୁ ଚୋରି ସାମଗ୍ରୀ ଜବତ କରାଯାଇଛି । ଜବତ ହୋଇଥିବା ସୁନା ଅଳଙ୍କାର ୨୦ ଲକ୍ଷରୁ ଅଧିକ ଟଙ୍କାର ହେବ । ପ୍ରଥମେ ଏମାନେ ବାହାର ଜିଲ୍ଲାରେ ଲୁଟ୍ କରୁଥିଲେ । ଏବେ ନୟାଗଡ଼ରେ ରହି ଚୋରି କରୁଛନ୍ତି । ଅନ୍ୟ ଲୁଟେରାଙ୍କୁ ଖୁବଶୀଘ୍ର ଗିରଫ କରାଯିବ ।''
ଇଟିଭି ଭାରତ, ନୟାଗଡ଼