ନୟାଗଡ଼: ଜିଲ୍ଲା ଦଶପଲ୍ଲା ବ୍ଲକ ବଣିଗୋଛା ଥାନା ଅନ୍ତର୍ଗତ ଧୁନ୍ଦୁଗାଡିଆ ଗ୍ରାମର ଶିଶୁ କନ୍ୟା ବେବି ନିଖୋଜ ଘଟଣାର ପର୍ଦ୍ଦାଫାସ୍ କରିଛି ପୋଲିସ । ବେବି ନିଖୋଜ ହେବାର ୫ ଦିନ ପରେ ପୋଲିସ ଗଳିତ ମୃତଦେହ ଉଦ୍ଧାର କରିବା ସହ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ସେହି ଗ୍ରାମର ସାଗର ଦଳେଇ ବୋଲି ଜଣାପଡିଛି ।
ତେବେ ବେବିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି l ଚଳିତ ମାସ ୧୨ ତାରିଖ ମଧ୍ୟାହ୍ନ ସମୟରେ ଧୁନ୍ଦୁଗାଡିଆ ଗ୍ରାମର କୁନା ନାୟକଙ୍କ ୬ ବର୍ଷର ଶିଶୁ କନ୍ୟା ବେବି ଗାଁ ଦାଣ୍ଡରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲା । ଘରକୁ ନ ଫେରିବାରୁ ବେବିର ବାପା ମାଆ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ । ପରେ ବେବିର ବାପା କୁନା ନାୟକ ବଣିଗୋଛା ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ସାଇଣ୍ଟିଫିକ୍ ଟିମ, ଅନୁସନ୍ଧାନୀ କୁକୁରର ସହାୟତାରେ ପୋଲିସ ତଦନ୍ତ କରିଥିଲେ ମଧ୍ୟ ଅପରାଧୀ ବାବଦରେ ସୁରାଗ୍ ପାଇନଥିଲା । ତେବେ ପୋଲିସ ଜଣେ ସନ୍ଦିଗ୍ଧ ଯୁବକକୁ ମଙ୍ଗଳବାର ଉଠାଇ ଆଣି ଦଶପଲ୍ଲା ଥାନାରେ ପଚରାଉଚରା କରିବା ପରେ ଗତକାଲି(ବୁଧବାର) ବେବି ନିଖୋଜ ଘଟଣାର ପର୍ଦ୍ଦାଫାସ୍ କରିଛି ।