ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ସାକେରୀ ପଞ୍ଚାୟତ ସରପଞ୍ଚ ବହିଷ୍କାର ମାମଲା । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରାନଯାଇ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ନୟାଗଡ ଜିଲ୍ଲାପାଳ ବେଖାତିର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ l
ସାକେରୀ ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ରମାଗତ ଭାବେ ତିନିଗୋଟି ପଞ୍ଚାୟତ ବୈଠକରେ ଅନୁପସ୍ଥିତ ରହିଥିବା ସୂଚନା ଆଇନରେ ପ୍ରଦତ୍ତ ତଥ୍ୟକୁ ଭିତ୍ତିକରି ପଂଚାୟତିରାଜ ବିଭାଗୀୟ ପ୍ରମୁଖ ଶାସନ ସଚିବ, ନୟାଗଡ ଜିଲ୍ଲାପାଳଙ୍କ ସମେତ ୮ ଜଣ ସରକାରୀ ଅଧିକାରୀଙ୍କୁ ପକ୍ଷଭୁକ୍ତ କରି ସେହି ପଞ୍ଚାୟତର ନିରଞ୍ଜନ ମହାପାତ୍ରଙ୍କ ସମେତ ୯ ଜଣ ୱାର୍ଡ ମେମ୍ବରଙ୍କ ମିଳିତ ଭାବେ ମାନନୀୟ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ଯାଚିକା WP(C) 12500/2020 ଉପରେ ଶୁଣାଣି କରାଯାଇ ଗତ 1.6.2020 ତାରିଖରେ ନୟାଗଡ ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତଦନ୍ତ କରି ଓଡିଶା ଗ୍ରାମ ପଞ୍ଚାୟତ ଆଇନ 115 ଧାରା ଅନୁସାରେ ୬ ମାସ ମଧ୍ୟରେ ଅର୍ଥାତ 01.12.2020 ସୁଦ୍ଧା ଆଇନ ଅନୁମୋଦିତ ଭାବେ ଚୂଡାନ୍ତ ନିର୍ଦେଶନାମା ପ୍ରକାଶ କରିବା ପାଇଁ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧିଷ୍ଟ ସମୟସୀମା ନିର୍ଘଣ୍ଟ କରିଥିଲେ l ଆବେଦନକାରୀ ମାନେ ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ନକଲ ସହ ରିଟ ପିଟିସନ ଏବଂ ସୂଚନା ଆଇନରେ ପ୍ରାପ୍ତ ହୋଇଥିବା ପଞ୍ଚାୟତ ରିଜୋଲ୍ୟୁସନ ଖାତାର ନକଲ ସହ ଆବଶ୍ୟକୀୟ କାଗଜାତ ଜିଲ୍ଲାପାଳଙ୍କ ଅଦାଲତରେ ଦାଖଲ କରିବା ପରେ ଜିଲ୍ଲାପାଳଙ୍କ ଅଦାଲତ ମିସ କେସ ନମ୍ବର 55/2020 ପଞ୍ଜିକୃତ ହୋଇ ଉଭୟ ପକ୍ଷଙ୍କ ଜବାବ ସୁଆଲ ଗତ 11.12.2020 ତାରିଖରୁ ସମ୍ପନ୍ନ ହୋଇ ଚୂଡାନ୍ତ ଜଜମେଣ୍ଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା l