ନୟାଗଡ : ଭଦ୍ରକରୁ ଅପହରଣ ଭୁବନେଶ୍ୱରରେ ହତ୍ୟା ଆଉ ନୟାଗଡ଼ରୁ ଉଦ୍ଧାର ହେଲା ମୃତଦେହ । କ୍ୟାମେରାମ୍ୟାନ ମାନସ ମର୍ଡର ମିଷ୍ଟ୍ରିର ଖୋଲୁନି ଗୁମର l ମାତ୍ର 3 ଜଣଙ୍କୁ ଗିରଫ କରି ଚୁପ ବସିଛି ପୋଲିସ । ମାନସ ମର୍ଡର ମୁଖ୍ୟ ଅଭିଯୁକ୍ତ ମହିଳା ଫେରାର ରହିଛି l ଏପଟେ ମାନସଙ୍କ ମୃତ୍ୟୁକୁ ନେଇ ପରିବାର ଏବଂ ଗାଁରେ ଶୋକାକୁଳ ପରିବେଶ ଲାଗି ରହିଛି l ମାନସ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତେଜୁଛି ଦାବି l
କ୍ୟାମେରା ମ୍ୟାନ ମାନସ ମର୍ଡର ମିଷ୍ଟ୍ରି: ନ୍ୟାୟ ପାଇଁ ଆକୁଳ ନିବେଦନ କଲେ ପରିବାର ଲୋକେ ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ । କ୍ୟାମେରାମ୍ୟାନ ଭାବେ କାର୍ଯ୍ୟ କରନ୍ତି l ଏକ ୱେବ ପୋର୍ଟାଲରେ କାର୍ଯ୍ୟ କରୁଥିଲେ । ଏହି ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କିଛି ଆପତ୍ତିଜନକ ଭିଡିଓ ମାନସଙ୍କ ପାଖରେ ଥିଲା ବୋଲି ଅଭିଯୋଗ ହୋଇଛି । ଏକ ମେମୋରୀ କାର୍ଡରେ ମାନସ ଏହାକୁ ରଖିଥିଲେ । ଏହି ଭିଡିଓ ମାନସଙ୍କ ମୃତ୍ୟୁରକାରଣ ବୋଲି କୁହାଯାଉଛି l
ଏହି ଆପତ୍ତିଜନକ ଭିଡ଼ିଓ ପାଇଁ ମାନସଙ୍କୁ ରାସ୍ତାରୁ ସଫା କରିବା ପାଇଁ ୱେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରଚିଥିଲେ ପ୍ରି ପ୍ଲାନ l ଗତ ଫେବୃଆରୀ ମାସ 7 ତାରିଖରେ ମାନସ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳକୁ ଏକ ମ୍ୟାରେଜ ସୁଟିଂ ପାଇଁ ଯାଇଥିଲେ l ସୁଟିଂ ସାରି ଘରକୁ ଫେରିବା ବେଳେ ବାଟରେ ତାଙ୍କୁ ଅପହରଣ କରାଯାଇଥିଲା l ମାନସଙ୍କୁ ଭୁବନେଶ୍ୱରରେ ହତ୍ୟା କରି ମୃତଦେହକୁ ପୋତିବାକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ତ ବଧିପାଟଣା ପାହାଡ଼ ତଳକୁ ନିଆଯାଇଥିଲା l
ଏକ ବୋଲେରୋ ଦ୍ୱାରା ତାଙ୍କୁ ପାହାଡ଼ ତଳକୁ ଅଣାଯାଇଥିଲା । ପାହାଡ଼ ତଳେ ରାତାରାତି ମାନସଙ୍କ ଗଳିତ ମୃତଦେହକୁ ପୋତିଥିଲେ ଅଭିଯୁକ୍ତମାନେ l ବହୁ ଖୋଜା ଖୋଜି ପରେ ପରିବାର ଲୋକେ ପାଇନଥିଲେ l ପରିବାର ଲୋକେ ପ୍ରଥମେ ରଣପୁର, ଭୁବନେଶ୍ୱର ଏବଂ ପରେ ଚାନ୍ଦବାଲି ଥାନାରେ ଗତ ମାସ 14 ତାରିଖରେ ଅଭିଯୋଗ କରିଥିଲେ l ପ୍ରଥମରୁ ପୋଲିସ ମାନସଙ୍କୁ ଖୋଜିବାରେ ଅବହେଳା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା l
ତଦନ୍ତ ବେଳେ ବୋଲେରୋ ଡ୍ରାଇଭର ଭାଗ୍ୟଧର ନାୟକକୁ ସନ୍ଦେହ କରିଥିଲେ ପୋଲିସ l ହେପାଜତକୁ ନେଇ ପଚରାଉଚରା କରିବା ପରେ ସବୁ ସତ ଓଗାଳିଥିଲା ଭାଗ୍ୟଧର l ଭାଗ୍ୟଧରକୁ ଧରି ମୃତଦେହକୁ ପୋତା ଯାଇଥିବା ସ୍ଥାନକୁ ଆଣିଥିଲା ପୋଲିସ l ମାଟି ଖୋଳି ମାନସଙ୍କ ମୃତଦେହ ଉଦ୍ଧାର କରିଥିଲା । ଗତ 12 ତାରିଖରେ କ୍ୟାମେରାମ୍ୟାନଙ୍କ ମୃତଦେହ ଖୋଳି ବାହାର କରିଥିଲା ପୋଲିସ l
ଏହି ଘଟଣା 3 ଜଣକୁ ଗିରଫ କରିଛି ପୋଲିସ ଏବଂ ମୁଖ୍ୟ ଅଭିଯୁକ୍ତ ପୋର୍ଟାଲ ମାଲିକାଣି ଫେରାର ଥିବା ଜଣାପଡିଛି l ଗିରଫ ଅଭିଯୁକ୍ତ ମାନେ ହେଲେ ବୋଲୋର ଡ୍ରାଇଭର ଭାଗ୍ୟଧର ନାୟକ,ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଓ ପୁରୁଣା ଭୁବନେଶ୍ୱରର ମୋହରିର କୃଷ୍ଣଚନ୍ଦ୍ର ନାୟକ l ମାନସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ପରିବାର ଓ ଗ୍ରାମବାସୀ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ