ନୟାଗଡ଼:ମହାନଦୀ କେତେବେଳେ ଓଡ଼ିଶା ପାଇଁ ଆଶୀର୍ବାଦ ତ ପୁଣି କେତେବେଳେ ଅଭିଶାପ l ମହାନଦୀ ଏ ମାଟିକୁ ସୁଜଳା, ସୁଫଳା ଏବଂ ଶସ୍ୟଶ୍ୟାମଳା କରିଛି, ସେତିକି ମଧ୍ୟ କରିଛି ଶସ୍ୟହୀନା ଏବଂ ଶ୍ରୀହୀନ l ପ୍ରତି ବର୍ଷ ମହାନଦୀ ବନ୍ୟାରେ ନୟାଗଡ଼ ଜିଲ୍ଲା ବହୁ ଗାଁ ହେଉଛି ଜଳାର୍ଣ୍ଣବ l ଗାଁ ବୁଡ଼ୁଛି, ହନ୍ତସନ୍ତ ହେଉଛନ୍ତି ଲୋକେ l ଧନ ଜୀବନ ହାନି ଘଟୁଛି lଆଜି କି କାଲିର ଏ ଘଟଣା ନୁହେଁ l ବର୍ଷ ବର୍ଷ ଧରି ଅଭିଶପ୍ତ ଜୀବନ ବିତାଉଛନ୍ତି ମହାନଦୀ ଏବଂ ଏହାର ଶାଖା ନଦୀ କୂଳିଆ ଲୋକେ l ନୟାଗଡ଼ ଜିଲ୍ଲାର ଖଣ୍ଡପଡା, ଗଣିଆ,ଭାପୁର ବ୍ଲକର ଶତାଧିକ ଗାଁ ବନ୍ୟା ଆସିଲେ ସତେ ଯେମିତି ଅଭିଶପ୍ତ ଜୀବନ ବିତାଉଛନ୍ତି l ହେଲେ ଲୋକେ କେତେ ଦିନ ଆଉ ଏପରି ଅଭିଶପ୍ତ ଜୀବନ ବିତାଇବେ l କେବେ ହେବ ଏହାର ସ୍ଥାୟୀ ପ୍ରତିକାର ?
ବନ୍ୟା ଆସିଲେ ଲୋକଙ୍କ ମନରେ ଛନକା ଭରି ଦିଅ l ଲୋକେ ଖୋଜନ୍ତି ଆଶ୍ରୟ ସ୍ଥଳୀ l ଖାଲି ମଣିଷ ନୁହେଁ, ଗୃହ ପାଳିତ ପଶୁ ମଧ୍ୟ ଏଥିରୁ ବାଦ ପଡ଼ନ୍ତିନି l ଗୋଟିଏ ବର୍ଷ ମଧ୍ୟରେ ବନ୍ୟା ଜଳକୁ ସାମ୍ନା କରି ଅଣ୍ଟା ସଳଖି ଛିଡ଼ା ହେବା ବେଳେ ଆଉ ଏକ ବନ୍ୟାର ସାମ୍ନା କରେ l ପିଢ଼ି ପିଢ଼ି ଏପରି ଅଭିଶପ୍ତ ଜୀବନ ବିତାଉଛନ୍ତି l ହେଲେ ଏହାର ନାହିଁ ସ୍ଥାୟୀ ସମାଧାନ l ଫଳରେ ପ୍ରତିବର୍ଷ ଧନ ଜୀବନ ହାନି ଘଟୁଛି l ଭାପୁର ବ୍ଲକର ମଣିପୁର ଗାଁ ପ୍ରତିବର୍ଷ ମହାନଦୀରେ ଜଳରେ ଜଳାର୍ଣ୍ଣବ ହୁଏ l ଏହି ସମୟରେ ଗାଁ ଲୋକଙ୍କୁ ନାକେଦମ ହେବାକୁ ପଡ଼େ l ଖାଇବାଠୁ ଆରମ୍ଭ କରି ଯାତାୟାତ ପର୍ଯ୍ୟନ୍ତ ଲୋକ ହଇରାଣ ହୁଅନ୍ତି l ଫସଲ ବି ପାଣିରେ ନଷ୍ଟ ହୋଇଥାଏ lଲୋକଙ୍କ ଯାତାୟାତ ପାଇଁ ଡ଼ଙ୍ଗା ହିଁ ସାଜେ ଭରସା l କେବଳ ମଣିପୁର ନୁହେଁ କରବର ପଞ୍ଚାୟତ ଏବଂ ହନୁମନ୍ତପ୍ରସାଦ ଆଦି ଗାଁ ଏହି ସମସ୍ୟା ଭୋଗିଥାଏ l ଏହାର ସ୍ଥାୟୀ ସମସ୍ୟା ପାଇଁ ନୟାଗଡ଼ ଜିଲ୍ଲା ବିଜେପି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛି l ଭାପୁର ବ୍ଲକର କରବର ଅଞ୍ଚଳରେ ରିଙ୍ଗ ରୋଡ଼, ଅଚଳ ହୋଇରହିଥିବା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ଆଦି କରିବାକୁ ନେଇ ଚିଠିରେ ଉଲ୍ଲେଖ ରହିଛି l
ଏହା ମଧ୍ୟ ପଢ଼ନ୍ତୁ...ବନ୍ୟା ପରେ ବଢୁଛି ଦୁର୍ଦ୍ଦଶା, ଭାଙ୍ଗିଛି 5 ଶହ ଘର, ରହିବାକୁ ଆଶ୍ରୟ ଖୋଜୁଛନ୍ତି ଲୋକେ