ନୟାଗଡ଼: ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଚଢ଼ାଉ କରିବା ସମୟରେ ଲୁଟେରା ଦଳ ପୋଲିସ ଉପରକୁ ଗୁଳି ଚଳାଇଛି । କିନ୍ତୁ, ପୋଲିସ ମାନଙ୍କର କୌଣସି କ୍ଷତି ହୋଇନାହିଁ । ଏହି ଘଟଣାରେ ପୋଲିସ ୩ ଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନେ ହେଲେ ଖଇରପଟି ଗ୍ରାମର ରମେଶ ବେହେରା ଓରଫ ବାଇନ, ଚାନ୍ଦପୁର ଦାଣ୍ଡସାହିର ସୋମନାଥ ସାହୁ ଓରଫ କାହ୍ନା ଏବଂ ଗୋଡ଼ିପଡ଼ା ଫାଣ୍ଡି କଇଁଫୁଲିଆ ଗ୍ରାମର ଅଶୋକ ସେନାପତି ଓରଫ ବୁଲୁ ।
ଏନେଇ ନୟାଗଡ଼ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ଶରଣକୂଳ ଥାନାରେ ପ୍ରେସମିଟ କରି ସୂଚନା ଦେଇଛନ୍ତି । ଏହି ୩ ଜଣ ବିଭିନ୍ନ ସ୍ଥାନରେ ଲୁଟ୍ ଓ ରାହାଜାନୀ ଚଳାଇ ଆସୁଥିବା ପୋଲିସ ପାଖରେ ଖବର ଥିଲା । ଲୋକଙ୍କ ଠାରୁ ରାସ୍ତାରୁ ମୋବାଇଲ୍ ଏବଂ ବାଇକ୍ ଛଡ଼ାଇ ନେଉଥିଲେ ଏହି ଲୁଟେରା ଗ୍ୟାଙ୍ଗ । ତେବେ ଶରଣକୁଳ ପୋଲିସ ସେମାନଙ୍କୁ ଧରିବା ପାଇଁ ଯୋଜନା କରିଥିଲା । ୩ ଜଣ ଅଭିଯୁକ୍ତ ବିଭିନ୍ନ ସ୍ଥାନରେ ଲୁଟ୍ କରିବା ପରେ ଖଇରପଟିରେ ଥିବା ରମେଶଙ୍କ ଅର୍ଦ୍ଧନିର୍ମିତ ଘରେ ଆଶ୍ରୟ ନେଇଥିଲେ ।