ନୟାଗଡ଼: ପାହାଡରେ ଚାଲିଛି ପଥର ଖଣି । ବିସ୍ଫୋରଣ ଯୋଗୁଁ ପ୍ରଭାବିତ ହେଉଛି ଆଖପାଖ ଗ୍ରାମବାସୀଙ୍କ ଜୀବନ ଜୀବିକା । ଗତ ୨ ବର୍ଷ ହେଲା ଏହି ବିବାଦ ଲାଗି ରହିଥିବା ବେଳେ ପୁଣି ଖଣି ବନ୍ଦ ପାଇଁ ପାହାଡ ଘେରିଛନ୍ତି ଗ୍ରାମବାସୀ । ତେବେ ଦାବି ପୂରଣ ନହେଲେ ତହସିଲ କାର୍ଯ୍ୟାଳୟ ଘେରିବା ପାଇଁ ଗ୍ରାମବାସୀଙ୍କ ତରଫରୁ ଚେତାବନୀ ଦିଆଯାଇଛି ।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ତହସିଲ ଅନ୍ତର୍ଗତ ପୋଇବାଡି ଗ୍ରାମ ପାଖରେ ଥିବା ମଳିକ ପାହାଡକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ଗୋଟିଏ ପାର୍ଶ୍ବରେ ପାହାଡକୁ ପଙ୍କାଳସାହି, ପୋଇବାଡି ଏବଂ ନୂଆସାହି ଗ୍ରାମ ରହିଥିବା ବେଳେ, ଗ୍ରାମ ମଧ୍ୟରେ ମନ୍ଦିର, ବିଦ୍ୟାଳୟ, ପୁଷ୍କରଣୀ ଏବଂ ଶହଶହ ଏକର ଚାଷ ଜମି ରହିଛି । ପାହାଡରେ ଖଣି ଚାଲିବା ଦ୍ବାରା ଠିକାସଂସ୍ଥା ପକ୍ଷରୁ ବଡ଼ବଡ ରିଙ୍ଗ୍ ହୋଲ କରାଯାଇ ଭୟଙ୍କର ଭାବେ ବିସ୍ଫୋରଣ କରାଯାଉଛି । ଫଳରେ ଗ୍ରାମର ଘର ଓ ମନ୍ଦିରରେ ଫାଟ ସୃଷ୍ଟି ହେବାସହ ଗର୍ଭବତୀ ମହିଳା ଓ ଗୃହପାଳିତ ପଶୁଙ୍କ ପାଇଁ ବିପଦ ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରି ଆସୁଛନ୍ତି ।