ଓଡିଶା

odisha

ETV Bharat / state

ଦଶପଲ୍ଲା NACରେ ଜମୁଛି ପ୍ରଚାର, ମଙ୍ଗ ଧରିଛନ୍ତି ବିଧାୟକ ରମେଶ - ଦଶପଲ୍ଲାରେ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ନୟାଗଡ଼ରେ ସରଗରମ ସହରାଞ୍ଚଳ ରାଜନୀତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସିରେ 16 ଟି ୱାର୍ଡରେ ବିଜେପି, ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ାଟକ୍କର ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ

INDEPENDENT CANDIDATE CAMPAIGNING FOR MUNICIPAL ELECTION
INDEPENDENT CANDIDATE CAMPAIGNING FOR MUNICIPAL ELECTION

By

Published : Mar 20, 2022, 12:28 PM IST

Updated : Mar 20, 2022, 1:36 PM IST

ନୟାଗଡ଼: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ନୟାଗଡ଼ରେ ସରଗରମ ସହରାଞ୍ଚଳ ରାଜନୀତି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସିରେ 16 ଟି ୱାର୍ଡରେ ବିଜେପି, ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ାଟକ୍କର ହେବାକୁ ଯାଉଛି । ଏକଦା କଂଗ୍ରେସର ଗଡ଼ଥିବା ଦଶପଲ୍ଲାରେ ଅଧ୍ୟକ୍ଷା ପ୍ରାର୍ଥୀ ଦେବାରେ ଫେଲ୍ ମାରିଛି କଂଗ୍ରେସ । କିନ୍ତୁ ବିଜେଡି ପ୍ରଚାରରେ ବେଶ ଆଗରେ ରହିଛି ।

2014 ମସିହାରେ ଗଠିତ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସିରେ ଚଳିତ ଥର ଦ୍ବିତୀୟ ଥର ପାଇଁ ଅନୁଷ୍ଠିତ ହେଉଛି ପୌର ନିର୍ବାଚନ । ତେବେ 16ଟି ୱାର୍ଡକୁ ନେଇ ଗଠିତ ଦଶପଲ୍ଲା ଏନଏସିରେ ଚଳିତ ଥର ମୋଟ 15,294ଜଣ ଭୋଟର ମତଦାନ କରିବାକୁ ଥିବା ବେଳେ କଂଗ୍ରେସ ଏଠାରେ ପ୍ରାର୍ଥୀ ଦେବାରେ ଫେଲ ମାରିଥିବାରୁ ମୈଦାନରେ ଜମୁଛି ବିଜେପି, ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର l ତେବେ ଦଶପଲ୍ଲା ଏନଏସିର ଅଧ୍ୟକ୍ଷ ଆସନ ଚଳିତ ବର୍ଷ ମହିଳା ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବିଜେପିରୁ ସୋନାଲିନ ଦଳାଇ, ବିଜେଡିରୁ ରାଣୀ ବେହେରା ଓ ସ୍ବାଧୀନ ପ୍ରାର୍ଥୀ ଭାବେ ବାଳକ ବାଳିକା ଚିହ୍ନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ପୁନମ ପ୍ରିୟଦର୍ଶିନୀ l

ଦଶପଲ୍ଲା NACରେ ଜମୁଛି ପ୍ରଚାର, ମଙ୍ଗ ଧରିଛନ୍ତି ବିଧାୟକ ରମେଶ

ଡୋରଟୁ ଡୋର ବୁଲି ବିଜେଡି ପ୍ରାର୍ଥିନୀ କରୁଛନ୍ତି ପ୍ରଚାର । ଏହାର ମଙ୍ଗ ଧରିଛନ୍ତି ବିଧାୟକ ରମେଶ ବେହେରା l ପଞ୍ଚାୟତ ନିର୍ବାଚନରେ ସଫଳତା ପାଇବା ପରେ ପୌର ନିର୍ବାଚନରେ ବିଜେଡି ସଫଳତା ପାଇବା ପାଇଁ ବିଧାୟକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତି କରିଛନ୍ତି । ଗତ ଏନଏସି ନିର୍ବାଚନରେ ଦଶପଲ୍ଲା ଏନଏସିର ମୋଟ 16ଟି ୱାର୍ଡରୁ ବିଜେପି ହାତକୁ ଗୋଟିଏ ଓ ସ୍ବାଧୀନ ହାତକୁ ଗୋଟିଏ ୱାର୍ଡ ଯାଇଥିବା ବେଳେ 14ଟି ୱାର୍ଡରେ ବିଜୟୀ ହୋଇ ଏଠାରେ ଅଧ୍ୟକ୍ଷ ପଦ ହାତେଇଥିଲା ବିଜେଡି ।

ମାତ୍ର ଚଳିତ ଥର ବିଧାୟକ ରମେଶ ବେହେରାଙ୍କୁ ନେଇ ମତଭେଦ ଯୋଗୁଁ ବିଜେଡିର ଗୋଟିଏ ଗୋଷ୍ଠୀ ଖୁଲମ୍ଖୁଲା ଭାବେ ବିଧାୟକଙ୍କୁ ବିରୋଧ କରୁଥିବାରୁ ଏହାର ଫାଇଦା ଉଠାଇବା ପାଇଁ ଉଦ୍ୟମ ଚଳାଇଛନ୍ତି ବିରୋଧୀ ବିଜେପି ଓ ବାଳକବାଳିକା ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଥିବା ସ୍ବାଧୀନ ପ୍ରାର୍ଥୀ । ଯାହାକୁ ନେଇ ଚଳିତ ପୌର ନିର୍ବାଚନରେ ବିଜେପି-ବିଜେଡି ଓ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ଦେଖିବାକୁ ମିଳିବ । ପୌର ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକିଥିବା ବେଳେ ଏବେ ଶେଷ ପର୍ଯ୍ୟାୟରେ ଜମୁଛି ସବୁ ପ୍ରାର୍ଥୀଙ୍କ ପ୍ରଚାର । ତେବେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଏନଏସିରେ ହାତୀ କାହା ମୁଣ୍ଡରେ ସୁନାକଳସ ଢ଼ାଳୁଛି ଓ କିଏ ଏଠାରେ ପରିଷଦ ଗଠନ କରୁଛି, ତାହା ଦେଖିବାକୁ ବାକି ରହିଲା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : Mar 20, 2022, 1:36 PM IST

ABOUT THE AUTHOR

...view details