ନୟାଗଡ: ଜିଲ୍ଲାରେ ମାତିଛନ୍ତି ଖଣି ମାଫିଆ । ବେଆଇନ ଖଣି ଖନନ କରି ଲୁଟ ହେଉଛି କୋଟି କୋଟି ଟଙ୍କାର ଲଘୁ ଖଣିଜ । ନୟାଗଡ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ ମୟୁରଝାଲିଆ ଗ୍ରାମ୍ୟ ଜଙ୍ଗଲ ଏବେ ଖଣି ମାଫିଆଙ୍କ କବ୍ଜାରେ । ଏହି ସ୍ଥାନରେ କାଜୁ ଜଙ୍ଗଲକୁ ନଷ୍ଟ କରି ବେଆଇନ ଭାବେ ଖଣି ଖନନ କରି ଲକ୍ଷ ଲକ୍ଷ ଟଙ୍କାର ମୁନାଫା କମାଉଥିବା ଅଭିଯୋଗ ହୋଇଛି ।
ସରକାରୀ ରେକର୍ଡ ଅନୁସାରେ, ମୟୂରଝାଲିଆ ମୌଜାର 144 ଏକର ଜାଗା ଗ୍ରାମ୍ୟ ଜଙ୍ଗଲ ପାଇଁ ସଂରକ୍ଷିତ ରହିଛି । କିନ୍ତୁ ଏଠାରେ ଗଛ ନଥିବା ଦର୍ଶାଇ ତହସିଲ ପ୍ରଶାସନ 5ବର୍ଷ ପାଇଁ 4ଏକର ଜମିକୁ ମାଙ୍କଡା ପଥର ଖନନ ପାଇଁ ନିଲାମ ଦିଆଯାଇଛି । ନିଲାମ ଧାରୀମାନେ 4ଏକର ଜାଗାରେ ଖଣି ଖନନ କରିବା ପରିବର୍ତ୍ତେ ସମ୍ପୂର୍ଣ 144 ଏକର ଜାଗାରେ ଥିବା କାଜୁ ଜଙ୍ଗଲକୁ ନଷ୍ଟ କରି ବେଆଇନ ଭାବେ ଖଣି ଖନନ କରି ଲକ୍ଷ ଲକ୍ଷ ଟଙ୍କାର ମୁନାଫା କମାଉଥିବା ଅଭିଯୋଗ ହୋଇଛି । ବାରମ୍ବାର ଅଭିଯୋଗ ସତ୍ୱେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।