ନୟାଗଡ:ଆକାଶ ଛୁଆଁ ହୋଇଛି ଦର ଦାମ । ଫଳରେ ପରିବାର ଚଳାଇବା ସାଧାରଣ ଲୋକଟିଏ ପାଇଁ କଷ୍ଟକର ହୋଇଛି । ଏହାରି ଭିତର ମାଇକ୍ରୋଫାଇନାନ୍ସର ଶୋଷଣ ନୀତି ପାଇଁ ସମସ୍ୟାରେ ପଡିଛନ୍ତି ଲୋକେ । ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ମହିଳା । 14 ଦଫା ଦାବି ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ମହିଳା ।
ମାଇକ୍ରୋଫାଇନାନ୍ସର ଶୋଷଣ ନୀତି ଆଦିକୁ ନେଇ 14 ଦଫା ଦାବି ନେଇ ରଣପୁରରେ ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅଖିଳ ଭାରତୀୟ ଗଣତାନ୍ତ୍ରିକ ମହିଳା ସମିତି ପକ୍ଷରୁ ରଣପୁର ବିଡ଼ିଓଙ୍କୁ ୧୪ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ,ରଣପୁର ବ୍ଲକ କମିଟି ପକ୍ଷରୁ ଦରବୃଦ୍ଧି, ବେଆଇନ ମଦ ଓ ମାଇକ୍ରୋଫାଇନାନ୍ସର ଗ୍ରାମାଞ୍ଚଳ ମହିଳାଙ୍କୁ ଶୋଷଣ ପ୍ରତିବାଦରେ ରଣପୁର ବ୍ଲକ୍ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରଣପୁର ପଞ୍ଚୁଦୋଳ ପଡ଼ିଆରୁ ଶତାଧିକ ମହିଳା ଏକତ୍ରୀତ ହୋଇ ଏକ ଶୋଭାଯାତ୍ରା ବାହାରି ବ୍ଲକ ସମ୍ମୁଖରେ ସଂଗଠନର କେନ୍ଦ୍ରୀୟ ଉପାଧ୍ୟକ୍ଷା ତାପସୀ ପ୍ରହରାଜଙ୍କ ନେତୃତ୍ୱରେ ସରକାରଙ୍କ ଜନ ଶୋଷଣ ନୀତି ବିରୋଧରେ ନାରାବାଜି ଦେଇଥିଲେ ।