ନୟାଗଡ଼: ଗରିବ ଅସହାୟମାନଙ୍କ ପାଇଁ ନାନା ଯୋଜନା କରୁଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର। ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁନଥିବା ନଜରକୁ ଆସିଛି। ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ କାଣ୍ଡପଡା ପଞ୍ଚାୟତରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି । କାଣ୍ଡପଡା ପଞ୍ଚାୟତ ଖଇରାଢିପ ନୂଆସାହି ବାସିନ୍ଦା ସୁକାନ୍ତି ଦେଇ 5 ବର୍ଷ ହେଲା ଏକ ଜରି ପାଲ ତଳେ ରହି ଆସୁଛନ୍ତି। ପକ୍କା ଘର ପାଇଁ ବାରମ୍ବାର ଦାବି କରିଥିଲେ ସୁଦ୍ଧା ପ୍ରଶାସନ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।
47 ବର୍ଷୀୟ ସୁକାନ୍ତି ଦେଇଙ୍କ ସ୍ବାମୀ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଛନ୍ତି। ଆର୍ଥିକ ଅନଟନ ଯୋଗୁଁ ଝାଟିମାଟି ଘର ଛପର କରି ପାରୁନାହାନ୍ତି ପରିବାର। ଆବାସ ଯୋଜନା ପାଇଁ ସରପଞ୍ଚଙ୍କୁ କହି କହି ଥକି ପଡ଼ିଲେଣି ସୁକାନ୍ତି। ହେଲେ ଏଯାଏଁ ପକ୍କାଘରଟିଏ ମିଳି ପାରିନଥିବା ଅଭିଯୋଗ ହୋଇଛି।