ନୟାଗଡ: ନା ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଅଛି ନା ଖାଇବାକୁ ଚାଉଳ ମୁଠାଏ । ଟିଭି ରୋଗରେ ଦୀର୍ଘ ଦେଢ ବର୍ଷ ହେଲା ଶଯ୍ୟାଶାୟୀ ଗଦାଧର । ସ୍ତ୍ରୀ ମାଗିଯାଚି ଅତିକମରେ ଗୋଟିଏ ଓଳିର ଖାଇବା ଯୋଗାଡ କରିପାରୁଛନ୍ତି । ବେଳେବେଳେ ତାହା ମଧ୍ୟ ଭାଗ୍ୟକୁ ଜୁଟୁନି । ଘର କହିଲେ ଝାଟିମାଟି କାନ୍ଥ ଉପରେ ଚିରା ପଲିଥିନ୍ ଖଣ୍ଡେ । ଆଉ ବର୍ଷା ହେଲେ ପଲିଥିନ୍ ବି ଆଶ୍ରୟ ଦେବାରେ ଅସମର୍ଥ ।
4 ବର୍ଷର ଶିଶୁ ଓ ସ୍ତ୍ରୀଙ୍କୁ ନେଇ ଗଦାଧରଙ୍କ ପରିବାର । ଏଭଳି ଦୃଶ୍ୟ ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଅଧୀନସ୍ଥ ରାଇପଡ଼ା ଗାଁରେ ଦେଖିବାକୁ ମିଳିଛି l ଆଦିବାସୀ ସାହିର 48 ବର୍ଷୀୟ ଗଦାଧର ଦିନ ମଜୁରିଆ ଭାବେ କାମକରି ପେଟ ପୋଷୁଥିବା ବେଳେ ଏବେ ସେତିକ ଛଡାଇ ନେଇଛି ଦଇବ । ରୋଗରେ ଗଦାଧର ପଡିବା ପରେ ପତ୍ନୀ ଭାରତୀଙ୍କୁ ଘର ଚଳାଇବାକୁ ପଡୁଛି । ଜଙ୍ଗଲରୁ କାଠ ଓ ପିଛୁଳି ସଂଗ୍ରହ କରି ଯାହା ଦୁଇ ପଇସା ପାଆନ୍ତି, ତାହା ଦି ମୁଠା ଖାଇବା ଯୋଗାଇବାରେ ବି ଅସମର୍ଥ ।