ନୟାଗଡ଼ :ଦଣ୍ଡ ଯାତ୍ରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟା ଘଟଣା । ପୁଣି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ନୟାଗଡ଼ ଟାଉନ ଥାନା ପୋଲିସ। ପୂର୍ବରୁ ଏହି ଘଟଣାରେ ୮ଜଣ ଗିରଫ ହୋଇଥିଲେ । ଗତକାଲି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଦେଉଳ ପଲ୍ଲୀ ଗାଁର ରବି ପ୍ରଧାନ ଏବଂ ଦଶପଲ୍ଲାର ଅକ୍ଷୟ କୁମାର ରାଉତରାୟଙ୍କ ପତ୍ନୀ ରଶ୍ମିତା ଜେନା । ତେବେ ୧୦ ଜଣଙ୍କ ଗିରଫ ପରେ ଭୟରେ ଦେଉଳପଲ୍ଲୀ ଗାଁ ହୋଇପଡିଛି ପୁରୁଷଶୂନ୍ୟ । ଅନେକଙ୍କ ଘରେ ତାଲା ଝୁଲୁଥିବାବେଳେ କୌଣସି ପୁରୁଷ ଲୋକଙ୍କୁ ଦେଖିବାକୁ ମିଳୁନି । ଫଳରେ ମହିଳାମାନେ ହଇରାଣ ହେଉଥିବା କହିଛନ୍ତି ।
ପୋଲିସ ଦୋଷୀଙ୍କ ପରିବର୍ତ୍ତେ ନିର୍ଦ୍ଦୋଷଙ୍କୁ ଗିରଫ କରିଥିବା ଦେଉଳପଲ୍ଲୀ ଗାଁର ମହିଳାମାନେ ଅଭିଯୋଗ ଆଣିଛନ୍ତି । ସେଥିପାଇଁ ଭୟରେ ପୁରୁଷ ଶୂନ୍ୟ ହୋଇଛି ଗାଁ । ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ନିର୍ଦ୍ଦୋଷଙ୍କୁ ହଇରାଣ ନ କରିବାକୁ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି ମହିଳାମାନେ । ଅନ୍ୟପକ୍ଷରେ ଦୁର୍ଗାପ୍ରସାଦ ଗ୍ରାମବାସୀ ନ୍ୟାୟ ଅପେକ୍ଷା ଅଛନ୍ତି । ସେମାନେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।