ନୟାଗଡ: ପାଠ ପଢାଉ ପଢାଉ ହୋଇ ଗଲା ପ୍ରେମ । ବାଧା ସାଜିଲାନି ବୟସ, ଅମାନିଆ ହେଲା ମନ । ଶେଷରେ ନାବାଳକ ଛାତ୍ରକୁ ଧରି ଫେରାର ହୋଇଗଲେ ଟିଉସନ ଦିଦି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ନାବାଳକଙ୍କ ପରିବାର ଲୋକେ । ନୟାଗଡ ଦଶପଲ୍ଲା ଥାନା ଅନ୍ତର୍ଗତ ନାହାକପଡା ଗ୍ରାମରୁ ଆସିଛି ଏପରି ଅଭିଯୋଗ । ନିଜେ ପାଠ ପଢାଉଥିବା ଛାତ୍ରକୁ ନେଇ ଟିଉସନ ଦିଦି ଫେରାର ହୋଇଥିବା ଅଭିଯୋଗ କରିଛନ୍ତି ଛାତ୍ରର ପରିବାର ଲୋକେ ।
ମିଳିଥିବା ସୂଚନା ଅନୁଯାୟୀ, ନାହାକପଡା ଗ୍ରାମର ସାରଥ ନାହାକଙ୍କ 17ବର୍ଷିୟ ପୁଅ ରାନୁ ନାହାକ । ଗତ ୩ ବର୍ଷ ହେଲା ଦଶପଲ୍ଲା ବାଳକ ଉଚ୍ଚ ବିଦ୍ୟାଳୟରେ ପଢୁଥିବା ସମୟରେ ସେ ନରସିଂହପୁର ଗ୍ରାମର ଶିକ୍ଷୟିତ୍ରୀ ନମିତା ନାଏକଙ୍କ ପାଖକୁ ଏକ୍ସଟ୍ରା କ୍ଲାସ କରିବାକୁ ଯାଉଥିଲେ । ଟିୟୁସନ ଦିଦି ନାବାଳକଙ୍କୁ ଇଂରାଜୀ ଓ ଗଣିତ ପଢାଉଥିଲେ । ଏହି ସମୟରେ ନାବାଳକ ରାନୁକୁ ପ୍ରେମ ଜାଲରେ ଫସେଇଥିଲେ ଟିଉସନ ଦିଦି । ଏହାପରେ ଦିଦିଙ୍କ ଠାରୁ ନିଜ ପୁଅକୁ ଦୂରେଇ ରଖିବା ପାଇଁ, ନୟାଗଡ ସ୍ଥିତ ବିକାଶ ହଷ୍ଟେଲରେ ରହି ଦର୍ପନାରାୟଣପୁର ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ରେ ପାଠ ପଢୁଥିଲେ ରାନୁ l ହେଲେ ଟିଉସନ ଦିଦି ମଧ୍ୟ ସେହି ହଷ୍ଟେଲକୁ ଦେଖା କରିବାକୁ ବାରମ୍ବାର ଆସି ରାନୁକୁ ନେଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ l