ନୟାଗଡ: ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ । ରାଜା ସିନା ପୂଜା ପାଏ ଆପଣା ଦେଶରେ କବି ପୂଜାପାଏ ଦେଶ ବିଦେଶରେ । ଏଇ କେଇ ପଦର କବିତା ଶୁଣୁ ଶୁଣୁ ଆପଣ ମନେ ପକାଇ ପାରୁଥିବେ ସେହି କିମ୍ବଦନ୍ତୀ ପୁରୁଷଙ୍କୁ । ହୃଦବୋଧ କରି ପାରୁଥିବେ ତାଙ୍କ ମନରେ ଥିବା କବିତା ଆଉ କବିଙ୍କ ପ୍ରତି ଦରଦକୁ । ତାଙ୍କ କାବ୍ୟ, କବିତା ଆଜି ତାଙ୍କୁ କାଳଜୟୀ କରିପାରିଛି । ଝୁରୁଛି ଗାଁ ମାଟି, ମନେପକାଉଛନ୍ତି ପ୍ରଶଂସକ । ସେ ଆଉ କେହି ନୁହନ୍ତି ଉତ୍କଳର ଘଣ୍ଟ ବୋଲାଉଥିବା ରୀତିଯୁଗର ଶେଷ ତଥା ଆଶୁ କବି ଯଦୁମଣି ମହାପାତ୍ର । ଆଜି ଏହି କିମ୍ବଦନ୍ତୀ ପୁରୁଷଙ୍କ 241ତମ ଜନ୍ମଜୟନ୍ତୀ ।
1781 ଜାନୁଆରୀ 8ରେ ଗଞ୍ଜାମ ଜିଲ୍ଲା ଆଠଗଡରେ ଜନ୍ମଗ୍ରହଣ କରିଥିଲେ ଉତ୍କଳ ଘଣ୍ଟ । ପିତା ମୁକୁନ୍ଦ ମହାପାତ୍ର ଓ ମାତା ଶୋଭା ଦେଇ । ଯଦୁକୃଷ୍ଣଙ୍କ ବିଗ୍ରହ ପୂଜା କରି ପୁତ୍ର ସନ୍ତାନ ଲାଭ କରିବାରୁ ବାପା-ମାଆ ନାମ ଯଦୁମଣି ରଖିଥିଲେ । ଖଞ୍ଜନା ନାମ୍ନୀ ମହିଳାଙ୍କୁ ବିବାହ କରିଥିଲେ ଯଦୁମଣି । ଜନ୍ମଭୂମି ଗଞ୍ଜାମ ହୋଇଥିଲେ ମଧ୍ୟ ଯଦୁମଣିଙ୍କ କର୍ମଭୂମି ଥିଲା ନୟାଗଡର ଇଟାମାଟି । ସେ ନୟାଗଡର ରାଜା ବିନାୟକ ସିଂହ ମାନଧାତାଙ୍କ ରାଜସଭାରେ କବି ଥିଲେ । ରାଜା ମାନଧାତାଙ୍କ ଅନ୍ତେ ତାଙ୍କ ପୁତ୍ର ବ୍ରଜ ବଲ୍ଲଭ ଯଥୋଚିତ ସମ୍ମାନ ନଦେବାରୁ ଯଦୁମଣି ରଣପୁର ରାଜସଭା ପ୍ରତ୍ୟାବର୍ତ୍ତନ କରିଥିଲେ ।
ସେ ରାଘବ ବିଳାସ ଓ ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ନାମକ ଦୁଇଗୋଟି ବୃହତ୍ କାବ୍ୟ, ଅନେକ ଚଉପଦୀ ଓ କ୍ଷୁଦ୍ରଗୀତ ରଚନା କରିଛନ୍ତି । ଯଦୁମଣିଙ୍କ ରଚନା ରୀତିଯୁଗୀୟ ଶୈଳୀରେ ଲିଖିତ ଓ ଅତ୍ୟନ୍ତ ପାଣ୍ଡିତ୍ୟପୂର୍ଣ୍ଣ । ଏହା ଛଡା ଛୋଟ ଗୀତ ଓ ଆଶୁ କବିତ୍ବ ତାଙ୍କୁ ପୁରପଲ୍ଲୀରେ ପରିଚିତ କରାଇ ପାରିଥିଲା । ସେ ଲେଖା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ପ୍ରୟାସ କରୁଥିଲେ । ସେ କବିତା ମାଧ୍ୟମରେ ପ୍ରଜାମାନଙ୍କୁ ଶୋଷଣ କରୁଥିବା ରାଜାଙ୍କୁ ତୀବ୍ର ନିନ୍ଦା କରିବା ସହ ସମାଜକୁ ଶିକ୍ଷଣୀୟ ବାର୍ତ୍ତା ଦେଉଥିଲେ । ତାଙ୍କ ଲେଖାରେ ନିର୍ଭିକତା ବାରିହୋଇ ପଡୁଥିଲା ।