ନୟାଗଡ:ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ରୋଗ ଶଯ୍ୟାରେ ପଡିଛି ୩୦ ବର୍ଷର ଭେଣ୍ତିଆ ପୁଅ ବୁଟୁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୨ନଂ ୱାର୍ଡ଼ କୃଷ୍ଣଚନ୍ଦ୍ରପୁର ପାଟଣା ଗାଁରେ । ଗାଁର ଚିତ୍ରସେନ ଦାସଙ୍କ ପୁଅ ବୁଟୁଙ୍କୁ ବୟସ ୩୦ ହେବ । ଯେଉଁ ବୟସରେ ରୋଜଗାର କରିବା କଥା ସେ ବୟସରେ ସେ ଶଯ୍ୟାସାୟୀ । ହୃଦ ରୋଗରେ ପୀଡିତ ହୋଇ ୨ବର୍ଷ ଧରି ରୋଗ ଶଯ୍ୟାରେ ପଡି ଯୁଝି ହେଉଛି ବୁଟୁ। ଅର୍ଥ ଅଭାବ ହେବାରୁ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଇ ପାରୁ ନାହାଁନ୍ତି।
ସୂଚନାଯୋଗ୍ୟ, ଦୁଇ ବର୍ଷ ତଳେ ବୁଟୁର ଛାତିରେ ଯନ୍ତ୍ରଣା ହେବାରୁ କଟକ SCB ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ଚିକିତ୍ସା ହେବା ପରେ ଛାତିରେ ପାଣି ଜମିଥିବା ଜଣାପଡିଥିଲା । ପରେ ଜମିଥିବା ପାଣି ବାହାରିବା ପାଇଁ ଏକ ପାଇପ୍ ସହ ପଲିଥିନ ବ୍ୟାଗ ଲଗାଇ ଛାଡି ଦେଇଥିଲେ ଡାକ୍ତର। ଟଙ୍କା ଯୋଗାଡ ହୋଇ ନ ପାରିବାରୁ ଅଧିକା ଚିକିତ୍ସା ହୋଇ ପାରିଲା ନାହିଁ । ହେଲେ ୨ବର୍ଷ ହେବ ସେହି ପଲିଥିନ ବ୍ୟାଗକୁ ଧରି ଯନ୍ତ୍ରଣା ପାଉଛନ୍ତି । ବୁଟୁର ପରିବାର ଦିନ ମଜୁରିଆ ହୋଇଥିବାରୁ ଅପରେସନ ହୋଇ ପାରୁ ନାହିଁ। କିନ୍ତୁ ଦିନ ଗଡ଼ିବା ସହ ରୋଗ ମଧ୍ୟ ବଢି ଚାଲିଛି। ଏବେ ଜରୁରୀ ହୋଇ ପଡିଛି ଅପରେସନ।