ନୟାଗଡ:ପୁଣି ଯୌତୁକ ଜୁଇରେ ଜଳିଲା ଆଉ ଜଣେ ବଧୂ । ନଣନ୍ଦଙ୍କ ପ୍ରରୋଚନାରେ ବୋହୂକୁ ନିର୍ଯାତନା ଦେଲେ ଶାଶୁ ଓ ସ୍ବାମୀ । ନଣନ୍ଦ, ସ୍ବାମୀ ଓ ଶାଶୁ ମିଶି ବୋହୂ ଉପରେ କରୁଥିଲେ ଅକଥନୀୟ ଅତ୍ୟାଚାର । ଶେଷରେ ଆଖି ବୁଜିଲେ ମହିଳା । ଯୌତୁକ ଲୋଭରେ ବଧୂ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ନୟାଗଡ ଜ଼ିଲ୍ଲା ରଣପୁର ଥାନା ଅନ୍ତର୍ଗତ ରାଜସୁନାଖଳାରେ। ମୃତ ମହିଳା ହେଉଛନ୍ତି ମନୋରମା ସାହୁ ।
ମିଳିଥିବା ସୂଚନା ଅନୁଯାୟୀ ଗତ 12ବର୍ଷ ତଳେ ଚମ୍ପାପେଡି ଗ୍ରାମର ବାଉରୀ ବନ୍ଧୁ ପରିଡାଙ୍କ ଝିଅ ମନୋରମା ସାହୁ ରାଜସୁନାଖଳା ଗ୍ରାମର ସୁରେଶ ସାହୁଙ୍କୁ ବିବାହ କରିଥିଲେ । ବେଶ କିଛି ଦିନ ହସ ଖୁସିରେ ପରିବାର ଚାଲିଥିବା ବେଳେ ନଣନ୍ଦ ମାନଙ୍କର ପ୍ରରୋଚନାରେ ପଡି ଶାଶୁଘର ଲୋକେ ବିଭିନ୍ନ ସମୟରେ ଯୌତୁକ ପାଇଁ ମନୋରମାଙ୍କୁ ମାର ପିଟି କରିବା ସହ ଅକଥନୀୟ ଅତ୍ୟାଚାର ଦେଉଥିଲେ ।
ଗତକାଲି ବିଳମ୍ବିତ ରାତିରେ ଯୌତୁକ ପାଇଁ ମନୋରମାକୁ ହତ୍ୟା କରାଯାଇଥିବା ତାଙ୍କ ବାପା ରାଜସୁନାଖଳା ଫାଣ୍ଡିରେ ଅଭିଯୋଗ କରିଛନ୍ତି l ତେବେ ଘଟଣାସ୍ଥଳରେ ରାଜସୁନାଖଳା ଫାଣ୍ଡି ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀକୁ ଅଟକ ରଖିଛି ପୋଲିସ । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଏବେ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ l ରିପୋର୍ଟ ଆସିବା ପରେ ପୋଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।