ନୟାଗଡ: ଦିନକୁ ଦିନ ଜନବସତି ମୁହାଁ ହେଉଛନ୍ତି ହାତୀ । ଗତ କିଛିଦିନ ହେବ ଗଜରାଜଙ୍କ ଜୀବନ ଏକପ୍ରକାର ବିପଦ ଆଡକୁ ଚାଲିଯାଉଥିବା ପରି ମନେହେଉଛି । କାରଣ ଲଗାତାର ଭାବେ ହାତୀ ମୃତ୍ୟୁ ନଚେତ ଜନବସତିରେ ହାତୀଙ୍କ ଉପଦ୍ରବ ସାମ୍ନାକୁ ଆସୁଛି । କେତେବେଳେ ହାତୀଙ୍କ ଆକ୍ରମଣରେ ଲୋକେ ସମ୍ମୁଖୀନ ହେଉଛନ୍ତି ତ ଆଉ କେତେବେଳେ ଲୋକଙ୍କ ଆକ୍ରୋଶର ଶିକାର ହେଉଛନ୍ତି ହାତୀ ।
ଏହି କିଛିଦିନ ତଳେ କଟକ ମୁଣ୍ଡଳିରେ ପାଣିସୁଅରେ ହାତୀ ଭାସିଯିବା ଏବଂ ବ୍ୟାରେଜରୁ ୨ଟି ହାତୀଙ୍କ ମୃତଦେହ ଉଦ୍ଧାର ହେବା ସଦ୍ୟତମ ଉଦାହରଣ । ତେବେ ମୁଣ୍ଡଳିରେ ନଦୀପାର ହେଉଥିବା ଅନ୍ୟହାତୀଙ୍କ ପତ୍ତା ନ ଥିବାବେଳେ ଏବେ ପୁଣି ଜନବସତି ମୁହାଁ ହୋଇଛନ୍ତି ହାତୀପଲ । ସୂଚନା ଅନୁଯାୟୀ ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୀମାନ୍ତରେ ହାତୀପଲ ଉପଦ୍ରବ କରିଛନ୍ତି । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ନିକଟସ୍ଥ ଜଙ୍ଗଲରେ ହାତୀଙ୍କୁ ଦେଖି ଭୟଭୀତ ହୋଇ ଯାଇଥିଲେ ସ୍ଥାନୀୟ ଲୋକେ । ଏଥିପାଇଁ ରାତିରେ ମୋଟା-ଗୋଡିପଡା ରାସ୍ତା ସମ୍ପୂର୍ଣ୍ଣ ଶୂନଶାନ ହୋଇଯାଇଛି ।