ନୟାଗଡ଼: କୋରୋନା ମହାମାରୀ ପ୍ରଭାବରେ ପ୍ରଭାବିତ ହୋଇଛି ଜୀବନ ଓ ଜୀବିକା । ଏଥିରୁ ମଧ୍ୟ ବାଦ ପଡ଼ିନି ଶୁଖୁଆ ବ୍ୟବସାୟୀଙ୍କ ଜୀବିକା l ନୟାଗଡ଼ ଜିଲ୍ଲା ରାଜସୁନାଖଳାର ଶୁଖୁଆ ସାରା ରାଜ୍ୟରେ ବେଶ ପ୍ରସିଦ୍ଧ l ରାଜସୁନାଖଳାରେ ମଧ୍ୟ ଏକ ଶୁଖୁଆ ବଜାର ରହିଛି l ଖୋର୍ଦ୍ଧା -ବଲାଙ୍ଗୀର ଜାତୀୟ ରାଜପଥ କଡ଼ରେ ଥିବା ଏହି ବଜାରରେ ଶୁଖୁଆ ନେବାକୁ ଲୋକେ ଭିଡ଼ ଜମାଉଥିଲେ l
ଲକଡାଉନ ବଢାଇଛି ଶୁଖୁଆ ବ୍ୟବସାୟୀଙ୍କ ଦୁର୍ଦ୍ଦଶା - ଶୁଖୁଆ ବ୍ୟବସାୟୀଙ୍କ ସମସ୍ୟା
କୋରୋନା ପ୍ରଭାବରେ ଲକଡାଉନ ଏବଂ ଲକଡାଉନ ପ୍ରଭାବରେ କ୍ଷତିଗ୍ରସ୍ତ ବ୍ୟବସାୟୀ । ଏହି ବ୍ୟବସାୟୀଙ୍କ ମଧ୍ୟରେ ଅଛନ୍ତି ନୟାଗଡର ଶୁଖୁଆ ବ୍ୟବସାୟୀ । ସରକାରଙ୍କ ପକ୍ଷରୁ ବିଶେଷ ଦୃଷ୍ଟି ଦେବାକୁ ଦାବି । ଅଧିକ ପଢନ୍ତୁ...
ଓଡ଼ିଆଙ୍କ ପଖାଳ କଂସାରେ ଶୁଖୁଆ ଥିଲେ କଥା ସରିଲା l ପଖାଳ କଂସା ସାଙ୍ଗକୁ ଶୁଖୁଆ ହୋଇଗଲେ ଖାଇବା ପୁରା ଜମିଯାଏ l ଚାହିଦା ଅନୁସାରେ ଭଲ ବେପାର ମଧ୍ୟ ହୋଇଥାଏ l ଏଥିପାଇଁ ବ୍ୟବସାୟୀ ମଧ୍ୟ ଦୁଇ ପଇସା ଲାଭ ପାଉଥିଲା l କିନ୍ତୁ କୋରୋନା ମହାମାରୀ ଯୋଗୁଁ ଦୋକାନ ବନ୍ଦ ଥିବାରୁ ଚିନ୍ତାରେ ବ୍ୟବସାୟୀ l ଧାର ଉଧାର ଏବଂ ଲୋନ ଆଣି ହଜାର ହଜାର ଟଙ୍କାର ଶୁଖୁଆ ଦୋକାନରେ ରଖିଥିଲେ ବ୍ୟବସାୟୀ l
ଲକଡ଼ାଉନ ହୋଇଯିବାରୁ ତାହା ବିକ୍ରି ନ ହୋଇପାରି ନଷ୍ଟ ହେବାକୁ ବସିଲାଣି l ଶୁଖୁଆରୁ ମିଳୁଥିବା ରୋଜଗାର ବନ୍ଦ ହୋଇଯିବାରୁ ଏବେ ପରିବାର ପ୍ରତିପୋଷଣ ଚିନ୍ତାରେ ବ୍ୟବସାୟୀ l ବ୍ୟାଙ୍କ ଆଦିରୁ ଲୋନ ଆଣିଥିବାରୁ ସୁଝିବାକୁ ଚିନ୍ତାରେ ପଡିଯାଇଛନ୍ତି ଶୁଖୁଆ ବ୍ୟବସାୟୀ l ଏଥିପ୍ରତି ସରକାରଙ୍କ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇ ସମାଧାନ କରିବାକୁ ଦାବି ହେଉଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ