ନୟାଗଡ:ନୟାଗଡ଼, କଳା, ସଂସ୍କୃତି ଓ କୁଶଳୀ କାରିଗରୀର ଗାଁ ଖଳିସାହି । ଶିଳ୍ପୀ ଗ୍ରାମର ମାନ୍ୟତା ପାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଯାଇଥିବା ବେଳେ, ଏଠାରେ ସବୁଠୁ ବଡ଼ ସମସ୍ୟା ଡ୍ରେନ । କଂସା ବାସନ ଓ ପିତ୍ତଳ କାରିଗରୀ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ସ୍ବତନ୍ତ୍ର ପତିଚୟ ପାଇଥିଲେ ମଧ୍ୟ ଡ୍ରେନ ସମସ୍ୟାରୁ ମୁକୁଳିନାହାନ୍ତି ବଜାର ବାସୀ ।
ଭିଡିଓ ସୌଜନ୍ୟ:ପ୍ରତିନିଧି, ନୟାଗଡ
ବର୍ଷା ଦିନ ଆସିଗଲେ ଏଠାରେ ଦୁଃଖ କହିଲେ ନସରେ । ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନ ନଥିବାରୁ ରାସ୍ତା ଉପରେ ଦୁଇ ଫୁଟରୁ ଅଧିକ ଉଚ୍ଚରେ ପାଣି ଯାଇଥାଏ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବଜାରବାସୀ ।
ନୟାଗଡ଼ ଜିଲ୍ଲା ସମେତ, ରାଜ୍ୟ ବାହାରର କାରିଗରୀ ମାନେ ଏହି ବଜାର ଉପରେ ନିର୍ଭର କରନ୍ତି । ଖଳିସାହି ବଜାର ଉପରେ ସବୁଦିନ ହଜାର ହଜାର ସଂଖ୍ୟାରେ ଗାଡି ଯାତାୟତ କରୁଥିବା ବେଳେ, ପ୍ରତିଦିନ 20 ହଜାରରୁ ଅଧିକ ଲୋକ ଏହି ବଜାର ଉପରେ ନିର୍ଭର କରି ଚଳନ୍ତି । ଏଥିସହ ସ୍କୁଲ, କଲେଜର ପିଲାମାନେ ମଧ୍ୟ ଯିବା ଆସିବା କରିଥାଆନ୍ମାତି । ମାତ୍ର ଏଠାରେ ବର୍ଷା ପାଣି ଯିବାପାଇଁ କୌଣସି ବ୍ୟବସ୍ଥା ନଥିବାରୁ ରାସ୍ତା ଉପର ଦେଇ ପାଣି ଯାଇଥାଏ ।
ଏହି ସମୟରେ ଗାଡି ଯିବା ଆସିବା କରିବା ସହ ପାଣି ଛିଟା ଲୋକଙ୍କ ଉପରେ ପଡିଥାଏ । ରାସ୍ତାରେ ଖାଲ ଥିବାରୁ ସାଇକଲ ଓ ମଟର ସାଇକଲ ଯାତ୍ରୀମାନେ ପଡିଯିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି । ଏପରିକି ମୁଣ୍ଡିଆରୁ ବର୍ଷା ପାଣି ଆସି ଲୋକଙ୍କ ଘର ଭିତରକୁ ପଶୁଥିବାରୁ ବହୁ ଲୋକମାନେ ସମସ୍ୟାରେ ରହିଛନ୍ତି ।
ରାଜ୍ୟ ତଥା ରାଜ୍ୟ ବାହାରେ ଖଳିସାହିର କରିଗରୀ ନମୁନା ଅନନ୍ୟ ଉଦାହରଣ ସୃଷ୍ଟି କରିଥିବା ବେଳେ, ବହୁ ପର୍ଯ୍ୟଟକମାନେ ମଧ୍ୟ ଖଳିସାହିର ପିତଳ ଓ କଂସା କାରିଗରୀ ଦେଖିବାପାଇଁ ଆସିଥାନ୍ତି । କିନ୍ତୁ ଖଳିସାହିର ଡ୍ରେନ ସମସ୍ୟାର କାରଣରୁ ସେଠାକୁ ପର୍ଯ୍ୟଟକମାନେ ଆସିବା ପାଇଁ ରାଜି ହେଉ ନାହାନ୍ତି । ଯାହାର ପ୍ରଭାବ କଳା କାରିଗରୀ ଉପରେ ପଡିଛି । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଏହା ଉପରେ ଦୃଷ୍ଟି ଦେଇ ଡ୍ରେନ ସମସ୍ୟା ସୁଧାରିବା ପାଇଁ ଦାବି ହୋଇଛି ।
ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ