ନୟାଗଡ଼: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇଡିର ମାରାଥନ ଜେରାକୁ ବିରୋଧ କରି ନୟାଗଡ଼ ଜିଲ୍ଲା କଂଗ୍ରେସ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜନୈତିକ ଆକ୍ରୋଶ, ଅସହିଷ୍ଣୁତା ଏବଂ ପ୍ରତିଶୋଧ ପରାୟଣ ହୋଇ ବିରୋଧିଙ୍କ ମୁହଁ ବନ୍ଦ କରିବା ପାଇଁ ନରେନ୍ଦ୍ର ମୋଦି ହୀନ ରାଜନୀତି କରୁଛନ୍ତି ବୋଲି ଜିଲ୍ଲା କଂଗ୍ରେସ ସଭାପତି ରଣଜିତ୍ ଦାସ ମତବ୍ୟକ୍ତ କରିଛନ୍ତି । ତେବେ ଆସନ୍ତା ୨୦,୨୧ ତାରିଖରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଭାପତି ଶ୍ରୀ ଦାସ ସୂଚନା ଦେଇଛନ୍ତି ।
ନ୍ୟାସନାଲ ହେରାଲ୍ଡ୍ ଭଳି ଏକ ଘରୋଇ ସମ୍ପତ୍ତିର ମାଲିକାନାକୁ କେନ୍ଦ୍ର କରି କଂଗ୍ରେସ ଦଳ ଓ ରାହୁଲ ଗାନ୍ଧୀଙ୍କୁ ବଦନାମ କରିବା ପାଇଁ ଅପପ୍ରୟାସ କରାଯାଉଥିବା ଦଳ ଅଭିଯୋଗ କରିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଭଳି ଏକ ସ୍ବୟଂଶାସିତ ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ସରକାର ଅପବ୍ୟବହାର କରୁଥିବା ପ୍ରତିବାଦରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ନୟାଗଡ଼ ପୋଷ୍ଟାଲ ଡିଭିଜନ ପ୍ରାଙ୍ଗଣରେ ଦୁଇଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।