ନୟାଗଡ଼: ରଣପୁର ପ୍ରଜା ଆନ୍ଦୋଳନର ଅମର ସେନାନୀ ସହୀଦ ରଘୁ-ଦିବାକରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଭାରତ ସ୍ବାଧୀନତା ସଂଗ୍ରାମ ଇତିହାସକୁ ରୁଦ୍ଧିମନ୍ତ, ରୁଚିମନ୍ତ ଓ ସମୃଦ୍ଧ କରିଥିବା ବିଭିନ୍ନ ଘଟଣା ମଧ୍ୟରୁ ରଣପୁର ପ୍ରଜା ଆନ୍ଦୋଳନ ଅନ୍ୟତମ । 1939 ମସିହା ଜାନୁଆରୀ 5 ତାରିଖ ଦିନ ବ୍ରିଟିଶ ପଲିଟିକାଲ ଏଜେଣ୍ଟ ମେଜର ବେଜେଲ ଗେଟଙ୍କୁ ଆନ୍ଦୋଳନକାରୀମାନେ ବାଉଁଶ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ଯେଉଁ ଘଟଣା ପାଇଁ ନୟାଗଡ ଜିଲ୍ଲା ରଣପୁର ବ୍ଲକର ବାଦଭୂଇଁ ଗ୍ରାମର ରଘୁନାଥ ମହାନ୍ତି ଓ ଗଡ଼ବାଣୀକିଲୋ ଗ୍ରାମର ଦିବାକର ପରିଡାଙ୍କୁ 1941 ମସିହା ଏପ୍ରିଲ 4 ତାରିଖ ଦିନ ଫାଶୀ ଦିଆ ଯାଇଥିଲା । ଏହି ସହୀଦଙ୍କୁ ମନେ ପକାଇ ପ୍ରତିବର୍ଷ ଏପ୍ରିଲ 4 ତାରିଖକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି ।
ସପ୍ତାହ ବ୍ୟାପୀ ବିଭିନ୍ନ ସ୍ଥାନରେ ଏହାକୁ ପାଳନ କରାଯିବ । ଏହି ଦୁଇ ଅମର ସେନାନୀଙ୍କୁ 1941 ମସିହା ଏପ୍ରିଲ ମାସ 4 ତାରିଖ ସୂର୍ଯ୍ୟ ଉଦୟ ପୂର୍ବରୁ ବିହାର ରାଜ୍ୟର ଭାଗଲପୁର ଜେଲରେ ଫାଶୀ ଖୁଣ୍ଟରେ ଝୁଲାଇ ଦିଆ ଯାଇଥିଲା । ସେମାନଙ୍କର ଏକମାତ୍ର ଅପରାଧ ଥିଲା ଯେ ଦେଶ, ଜାତି, ମାତୃଭୂମିକୁ ଭଲ ପାଇବା । ଗଡ଼ଜାତ ରାଜ ଶାସନର ଅନ୍ୟାୟ, ଅନୀତି, ଶୋଷଣ, କଷଣ, ଜୁଲମ ବିରୋଧରେ ପ୍ରତିବାଦର ସ୍ବର ଉତ୍ତୋଳନ କରି ଆନ୍ଦୋଳନ କରିବା । ପରାଧୀନ ଭାରତ ବର୍ଷରେ ଏକ ଶୋଷଣ ମୁକ୍ତ ସମାଜର ସ୍ବପ୍ନ ଦେଖୁଥିଲେ ଏହି ଦୁଇ ସହୀଦ ରଘୁ-ଦିବାକର । ଏହି ପରିପ୍ରେକ୍ଷୀରେ ରଣପୁରରେ ସହୀଦ ରଘୁ-ଦିବାକରଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି ।