ନୟାଗଡ଼:ଘର ଭିତରୁ ମା’ ସହ ୩ ବର୍ଷୀୟ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବାବେଳେ ହତ୍ୟା ଅଭିଯୋଗ ଆଣିଲେ ମହିଳାଙ୍କ ବାପଘର ସଦସ୍ୟ । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଶଙ୍ଖେଇ ଗାଁରେ ।
ମିଳିଥିବା ସୂଚନା ଅନୁସାରେ ଇଟାମାଟି ଥାନା ଶଙ୍ଖେଇ ଗାଁର ପ୍ରସନ୍ନ କୁମାର ସାହୁଙ୍କ ପତ୍ନୀ ମିଲି ସାହୁ ଏବଂ ତାଙ୍କର 3 ବର୍ଷୀୟ ପୁଅର ମୃତଦେହ ଘରେ ପଡିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣରୁ ଉଭୟ ମା ଓ ଶିଶୁର ମୃତ୍ୟୁ ହୋଇଛି ସେ ନେଇ ସଠିକ ତଥ୍ୟ ମିଳିପାରି ନାହିଁ । ତେବେ ଏହା ଆତ୍ମହତ୍ୟା କିମ୍ବା ହତ୍ୟା ତାହା ସ୍ପଷ୍ଟ ହୋଇନଥିବାବେଳେ ଖବର ପାଇ ଇଟାମାଟି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।