ନୟାଗଡ଼: ପଦ୍ମପୁର ଉପନିର୍ବାଚନ (Padmapur Bypoll)କୁ ନେଇ ନୟାଗଡ଼ରେ ଦେଖିବାକୁ ମିଳିଛି ତାତି । ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରଚାରରେ ନୟାଗଡ଼ର ଜଣେ ଶିକ୍ଷକ ସାମିଲ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ସୋସିଆଲ ମିଡ଼ିଆରେ ଜୋରଦାର ଚର୍ଚ୍ଚା ଦେଖିବାକୁ ମିଳିଥିବା ବେଳେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ନୟାଗଡ଼ ଜିଲ୍ଲା କଂଗ୍ରେସ (Nayagarh District Congress) ।
ଶୃଙ୍ଖଳିତ ସରକାରୀ କର୍ମଚାରୀ ନୀତି ନିୟମକୁ ବେଖାତିର କରି ନୟାଗଡ ଜିଲ୍ଲା ନବଘନପୁର କପିଳେଶ୍ଵରର ବିଦ୍ୟାପୀଠର ବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ନାୟକ ନିଜେ ବିଜେଡି କର୍ମୀ ଭାବେ ପଦ୍ମପୁର ଉପନିର୍ବାଚନରେ ଦଳୀୟ ପ୍ରଚାର କାର୍ଯ୍ୟରେ ସାମିଲ ହେବା ଏବଂ ବିଜେଡି ବିଧାୟକ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ, ଓଡଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସମେତ ଅନ୍ୟ ବିଜେଡି ନେତା କଣ୍ଟ୍ରାକ୍ଟରଙ୍କ ସହ ଫଟୋ ଭାଇରାଲ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ହୋଇଛି । ଗାନ୍ଧିବାଦ ଦ୍ବାହି ଦେଉଥିବା ନୟାଗଡ ବିଧାୟକ ଅରୁଣ ସାହୁ ଜଣେ ଶିକ୍ଷକ ଭବାନୀ ସାରଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଇବା କେଉଁ ଗାନ୍ଧୀଦର୍ଶନରେ ଲେଖାଯାଇଛି ବୋଲି ବରିଷ୍ଠ ଆଇନଜୀବି ତଥା ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ପ୍ରଶ୍ନ କରିଛନ୍ତି ।