ନୟାଗଡ଼: ମହାନଦୀ ବନ୍ୟାରେ କ୍ଷତି ସହିଥିବା ହିତାଧିକାରୀଙ୍କୁ ମିଳିବ ସହାୟତା ରାଶି । ନୟାଗଡ଼ ଜିଲ୍ଲାର ବିଶେଷ ଭାବରେ ଖଣ୍ଡପଡ଼ା, ଭାପୁର ଏବଂ ଗଣିଆ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟାରେ ୩୩ ପ୍ରତିଶତ ଜମି କ୍ଷତି ହୋଇଛି l ୪ ହଜାର ୧୧୩.୭୫ ହେକ୍ଟର ଜମି ବନ୍ୟାରେ ନଷ୍ଟ ହୋଇଛି । ଏଥିପାଇଁ ୧ କୋଟି ୮୨ ଲକ୍ଷ ୬୨ ହଜାର ଟଙ୍କା କ୍ଷତିପୂରଣ ପାଇବେ ହିତାଧିକାରୀ । ଏନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୂଚନା ଦେଇଛନ୍ତି ।
ମହାନଦୀ ବନ୍ୟା ପ୍ରଭାବିତଙ୍କୁ ମିଳିବ କ୍ଷତିପୂରଣ ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ୪୧ ହେକ୍ଟର ସର୍ବନିମ୍ନ, ଭାପୁର ବ୍ଲକରେ ୧୩ ହଜାର ୪୯ ହେକ୍ଟର, ଖଣ୍ଡପଡ଼ା ବ୍ଲକରେ ୩୫୪ ହେକ୍ଟର ବେଳେ ଗଣିଆ ବ୍ଲକରେ ୨୦ ହଜାର ୩୩୬ ହେକ୍ଟର ସର୍ବାଧିକ ଜମି କ୍ଷୟକ୍ଷତି ହୋଇଛି । ଚାଷୀମାନେ ସରକାରୀ ସହାୟତାକୁ ଅପେକ୍ଷା କରିଥିବା ବେଳେ ରାଜ୍ୟ ପାଇଁ ଘୋଷିତ ୩୧୫ କୋଟିରୁ ସହାୟତା ପ୍ରଦାନ କରାଯିବ । ଏହି ଅର୍ଥକୁ ତୁରନ୍ତ ନୟାଗଡ଼ ଜିଲ୍ଲାକୁ ଦିଆଯିବା ପାଇଁ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ ଶେଷ ପର୍ଯ୍ୟୟରେ ପହଞ୍ଚିଥିବା ବେଳେ ଖୁବ ଶୀଘ୍ର ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବା ନେଇ କହିଛନ୍ତି ନୟାଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର ।
ଏଯାବତ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରଶାସନକୁ ପ୍ରଦାନ କରାଯାଇନଥିବାରୁ ହିତାଧିକାରୀ ତାଲିକା ପ୍ରସ୍ତୁତ କରାଯାଇପାରିନାହିଁ । ଭାପୁର ବ୍ଲକର ବହୁଦିନ ଧରି ବନ୍ୟା ପାଣି ଜମି ରହିବାରୁ ଧାନ ଫସଲ ନଷ୍ଟ ଠାରୁ ଆରମ୍ଭ କରି ଚାଳ, ଆଜବେଷ୍ଟ, ଟାଇଲ ଏବଂ ଗୁହାଳ ଘର ଆଦି ଭାଙ୍ଗିଯାଇଛି । ଫଳରେ ଅନେକ ଲୋକ ଏବେ ବେସାହାରା ହୋଇପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବନ୍ୟା କ୍ଷୟକ୍ଷତି ରିପୋର୍ଟ ଜାରି କରିସାରିଛନ୍ତି । ରାଜ୍ୟରେ ବନ୍ୟା ପ୍ରଭାବିତଙ୍କ ପାଇଁ ୩୧୫ କୋଟି ସହାୟତା ଘୋଷଣା କରାଯାଇଛି । ନିର୍ମାଣ ସହାୟତା, ବାସନକୁସନ, କୃଷିଭିତ୍ତିକ, ମୃତ ଗୋରୁଗାଈ, କ୍ଷତିଗ୍ରସ୍ତ ଡଙ୍ଗା ଓ ଜାଲ, ମତ୍ସ୍ୟ ପୋଖରୀ, ହସ୍ତତନ୍ତ୍ର ବୁଣାକର, ହସ୍ତଶୀଳ୍ପ କାରିଗର ପାଇଁ ଏହି ୩୧୫ କୋଟି ଟଙ୍କା ସହାୟତା ଘୋଷଣା କରାଯାଇଛି ।
ଏନେଇ ନୟାଗଡ଼ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର କହିଛନ୍ତି, "ଭାପୁର ବ୍ଲକର କେତେ ଚାଷ ଜମି ଜଳମଗ୍ନ ହୋଇଥିଲା ଓ କେତେ ପରିମାଣର କ୍ଷତି ସହିଛନ୍ତି ସେ ନେଇ ପୂର୍ଣ୍ଣାଙ୍ଗ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇନାହିଁ । କୃଷି ବିଭାଗ, ଉଦ୍ୟାନ ବିଭାଗ ଓ ରାଜସ୍ବ ବିଭାଗର ମିଳିତ ସମନ୍ବୟରେ କାର୍ଯ୍ୟ ହେଉଥିବାରୁ ବିଳମ୍ବ ହେଉଛି ।" ତେବେ ବନ୍ୟାରେ ଗଣିଆ ବ୍ଲକର ରାସଙ୍ଗ ଆଦି ପଞ୍ଚାୟତ ବହୁ ଭାବେ କ୍ଷୟକ୍ଷତି ହୋଇଛି । ସେହିପରି ଭାପୁର ବ୍ଲକର ଫତେଗଡ଼ ପଞ୍ଚାୟତ ଅଧୀନ ମଣିପୁର ଓ ଫତେଗଡ଼ ଗ୍ରାମ, କରବର ପଞ୍ଚାୟତର ସମସ୍ତ ଗାଁ, ପଥରଚକଡା ପଞ୍ଚାୟତର ସମସ୍ତ ଗାଁ, ଶାସନ ଏବଂ ପଦ୍ମାବତୀ, ଧାନଚାଙ୍ଗଡ଼ା ପଞ୍ଚାୟତର ଭୋଗଡ଼ା ଓ ଲକ୍ଷ୍ମୀପ୍ରସାଦ, କେନ୍ଦୁପଲ୍ଲୀ ପଞ୍ଚାୟତର ହନୁମନ୍ତପ୍ରସାଦ ଆଦି ଗାଁର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡିଛି । କ୍ଷତିପୂରଣ ବାବଦକୁ ଅର୍ଥ ରାଶିକୁ ଅପେକ୍ଷା କରିଛନ୍ତି ଲୋକେ ।
ଇଟିଭି ଭାରତ, ନୟାଗଡ଼