ନୟାଗଡ଼: RPF କର୍ମଚାରୀଙ୍କୁ ହତ୍ୟା କରି ଫ୍ୟାନରେ ଝୁଲାଇଦେବା ମାମଲା l କାର୍ଯାନୁଷ୍ଠାନ ପାଇଁ ଦାବି କଲେ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ l ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୟାଗଡ଼ ଜିଲ୍ଲାପାଳ ଏବଂ ନୟାଗଡ SPଙ୍କ ସହ ସେ ଆଲୋଚନା କରିଛନ୍ତି l କିନ୍ତୁ ଏହି ଘଟଣାର ତଦନ୍ତରେ ରାୟପୁର ପୋଲିସ ଅବହେଳା କରୁଥିବା ଅଭିଯୋଗ ହୋଇଛି । ଏପଟେ ନିରପେକ୍ଷ ତଦନ୍ତ ଦାବି କରି ଶନିବାର ନୟାଗଡ଼ ଜିଲ୍ଲାପାଳଙ୍କୁ ଭେଟିଥିଲେ ମୃତ RPF ଯବାନଙ୍କ ପରିବାର ଲୋକ l ଜିଲ୍ଲାପାଳଙ୍କୁ ଭେଟି ସଠିକ ତଦନ୍ତ କରିବା ସହ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ପରିବାର ଦାବି କରିଛି ।
ପ୍ରକାଶଥାଉକି, ଛତିଶଗଡ଼ ରାୟପୁର ମହାଶମୁଣ୍ଡ ଜିଲ୍ଲା ରେଲୱେ ଷ୍ଟେସନରେ କାର୍ଯ୍ୟରତ ଥିଲେ ମୃତ କର୍ମଚାରୀ । ମୃତକ ଜଣକ ହେଲେ ୨୩ ବର୍ଷୀୟ RPF କର୍ମଚାରୀ ଆଲୋକ କୁମାର ସାହୁ । ଆଲୋକଙ୍କ ଘର ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ହରିହରପୁର ଗାଁରେ । ଗତ ୧୮ ତାରିଖରେ ଆଲୋକଙ୍କ ମୃତଦେହ ଭଡାଘର ପଙ୍ଖାରେ ଏକ ରଶିରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ମାତ୍ର ଆଲୋକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟିହୋଇ ରକ୍ତ ଝରୁଥିବା ସହ ପାରିପାର୍ଶ୍ଵିକ ଅବସ୍ଥାରୁ କେହି ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବା ଉଦ୍ଦେଶ୍ୟରେ ଝୁଲାଇ ଦେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ l