ନୟାଗଡ଼:ବଦଳିବାକୁ ଯାଉଛି ଆଦିବାସୀ ଇଲାକାର ଛବି । ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ବୃତ୍ତଙ୍ଗ ନଦୀ ଉପରେ ସେତୁ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଡୀ ପଞ୍ଚାୟତର ବଣି ଘାଟରେ ଏହି ସେତୁ ନିର୍ମାଣ ହେବ । ବିଜୁ ସେତୁ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରାୟ 10 କୋଟି ଟଙ୍କା ବ୍ୟୟ ମଞ୍ଜୁର କରିଛି । ଏହି କାର୍ଯ୍ୟ ପାଇଁ ଟେଣ୍ଡର କରାଯାଇଛି । ଖୁବଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି ।
ଅପହଞ୍ଚ ଆଦିବାସୀ ଇଲାକାକୁ ଯୋଗାଯୋଗର ମାଇଲଖୁଣ୍ଟ ସାଜିବ ଏହି ସେତୁ । ଗ୍ରାମବାସୀଙ୍କ ସହ ସେତୁ ସମ୍ପର୍କିତ ଆଲୋଚନା ବେଳେ ଦଶପଲ୍ଲା ବିଧାୟକଙ୍କୁ ଗ୍ରାମବାସୀ ବିରୋଧ କରିଥିବା ଏକ ଭିଡ଼ିଓ ଭାଇରାଲ ହୋଇଥିଲା । ଗ୍ରାମବାସୀ ନୁହଁନ୍ତି ବରଂ ସ୍ଥାନୀୟ କିଛି ବିରୋଧୀ ଲୋକ ବିଧାୟକଙ୍କୁ ବଦନାମ କରିବା ପାଇଁ କରିଥିଲେ ଷଡଯନ୍ତ୍ର । ପୂର୍ବ ଯୋଜନା ଅନୁସାରେ ଏଭଳି କାଣ୍ଡ କରି ଭିଡ଼ିଓ ଭାଇରାଲ କରିଥିବା କୁହାଯାଉଛି । ଏହାକୁ ନେଇ ପ୍ରଧାନପଡ଼ା ଗାଁରେ ଦେଖାଦେଇଛି ଅସନ୍ତୋଷ ।
ବିଧାୟକଙ୍କୁ ଆମେ ବିରୋଧ କରିନାହିଁ ବରଂ ସମ୍ବର୍ଦ୍ଧିତ କରିଛୁ ବୋଲି କହିଛନ୍ତି ଗ୍ରାମବାସୀ । କିଛି ଅସାମାଜିକ ବ୍ୟକ୍ତି ଏପରି କରିଥିବା ଗଣମାଧ୍ୟମରେ କହିଛନ୍ତି ବିଧାୟକ ରମେଶ ବେହେରା । ସେତୁ ଟିଏ ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହରକତ ହେଉଥିଲେ । ବର୍ଷା ଦିନେ ଲୋକେ ଅଧିକ ସମସ୍ୟା ଭୋଗୁଥିଲେ । ଉଭୟ ନୟାଗଡ଼ ଏବଂ କନ୍ଧମାଳ ଜିଲ୍ଲାର ପ୍ରାୟ 15 ହଜାର ଲୋକଙ୍କ ଦୁଃଖ ପାଲଟିଛି ଏହି ନଦୀ । ଲୋକଙ୍କ ଦୁଃଖ ଏବେ ଦୂର ହେବାକୁ ଯାଉଛି ।