ନୟାଗଡ: ଜିଲ୍ଲା ଭାପୁର ବ୍ଲକ ବିଜିପୁର ଗ୍ରାମର ତପସ୍ବିନୀ ମୃତ୍ୟୁ ଘଟଣାରେ ନୂଆ ମୋଡ଼ । ମୃତ୍ୟୁର ୧୮ ବର୍ଷ ପରେ ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ତପସ୍ବିନୀଙ୍କ ମୃତ୍ୟୁକୁ ନେଇ ବିଜେଡିର ଟାଣୁଆ ନେତା ଗୟାଧର ପରିଡାଙ୍କ ସମ୍ପୃକ୍ତି ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଏହାକୁ ନିଜେ ଗୟାଧର ପରିଡା ଖଣ୍ଡନ କରିଛନ୍ତି l
"ଜାଣିଶୁଣି ଆମ ପରିବାରକୁ ବଦନାମ କରାଯାଉଛି l ତପସ୍ୱିନୀ ମୋ ସାନ ଭଉଣୀ ହେବେ l ବିରୋଧି ଦଳ ରୀତିନୀତି ମତ ଭାବେ ଏପରି କରୁଛନ୍ତି ଯେପରି ଆମେ ସମାଜରେ ନିନ୍ଦିତ ହେଉ l ସେମାନେ ମନ୍ଦ ଉଦ୍ଦେଶ୍ୟ ରଖି ଏପରି କରୁଛନ୍ତି" ବୋଲି କହିବା ସହ ଏହାକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ଗୟାଧର l ତପସ୍ବିନୀ ମୃତ୍ୟୁ ଘଟଣାରେ ବିଜେଡି ନେତାଙ୍କ ସମ୍ପୃକ୍ତିକୁ କିଛି ଦିନ ପୂର୍ବରୁ ତାଙ୍କ ବାପା ଗଣମାଧ୍ୟମକୁ ଆସି ଏହାକୁ ଖଣ୍ଡନ କରିଥିଲେ।
ତପସ୍ୱିନୀ ମୃତ୍ୟୁ ମାମଲାରେ ମୋତେ ବଦନାମ କରାଯାଉଛି: ବିଜେଡ଼ି ନେତା ଗୟାଧର ପରିଡା ସୂଚନାଅନୁସାରେ, 2003 ମସିହା ଜାନୁଆରୀ 1 ତାରିଖରେ ନୟାଗଡ ଜିଲ୍ଲା ଭାପୁର ବ୍ଲକ ବିଜିପୁର ଗାଁର ଅଜୟ ପଟ୍ଟନାୟକଙ୍କ ଝିଅ ତପସ୍ବିନୀ ପଟ୍ଟନାୟକଙ୍କ ସିକିଲସିଲ ରୋଗ ଯୋଗୁଁ ମୃତ୍ୟୁ ହୋଇଥିଲା l ତେବେ ତପସ୍ବିନୀଙ୍କ ମୃତ୍ୟୁକୁ ନେଇ ଏବେ ରାଜନୀତି ଜୋର ଧରିଛି l 18 ବର୍ଷ ତଳର ଏହି ଘଟଣାକୁ ନେଇ ରବି ନାୟକ ନାମକ ଜଣେ ବ୍ୟକ୍ତି କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ ।
ଘଟଣାଟିର ସତ୍ୟତା ନଥିବାରୁ କ୍ୟାପିଟାଲ ଥାନା ଅଭିଯୋଗ ଗ୍ରହଣ କରିନଥିଲା । ପରେ ଉକ୍ତ ରବି ନାମକ ଯୁବକ କୋର୍ଟର ଦ୍ୱାରସ୍ଥ ହେବା ପରେ ଥାନାରେ ମାମଲା ରୁଜୁ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ l ଏହା ଏକ ହତ୍ୟା ଘଟଣା ଏବଂ ଏଥିରେ ଗୟାଧର ପରିଡାଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ କରିଛନ୍ତି ରବି ନାୟକ । ତପସ୍ୱିନୀ 2002 ମସିହାରେ ସିକିଲସିଲ ରୋଗରେ ପୀଡିତ ହୋଇଥିଲେ । ଡାକ୍ତର କେ.ଏନ ଦଲାଲଙ୍କ ତତ୍ୱାବଧାନରେ ନୀଳାଚଳ ହସ୍ପିଟାଲରେ ଦେଢ଼ବର୍ଷ ଚିକିତ୍ସିତ ହୋଇଥିଲେ । ପରେ ସ୍ୱାସ୍ଥ୍ୟରେ ଅବନତି ଯୋଗୁଁ 2003 ଜାନୁଆରୀ 1 ତାରିଖରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ତେବେ ମୃତ୍ୟୁ ପରେ ତପସ୍ବିନୀଙ୍କୁ ଘରକୁ ନଆଣି ପୁରୀ ସ୍ୱର୍ଗଦ୍ୱାରକୁ ନେଇ ଅନ୍ତିମ ସତ୍କାର କରାଯାଇଥିଲା । ତାଙ୍କ ନିଜ ବଡ ପୁଅ ମାନସ ରଞ୍ଜନ ପଟ୍ଟନାୟକ ଭଉଣୀ ତପସ୍ୱିନୀଙ୍କୁ ମୁଖାଗ୍ନି ଦେଇଥିଲେ ବୋଲି ସୂଚନା ଦେଇଛନ୍ତି ମୃତ ତପସ୍ୱିନୀଙ୍କ ବାପା । ତପସ୍ବିନୀଙ୍କ ବାପା କହିଛନ୍ତି ଯେ, "ଦୀର୍ଘ 18ବର୍ଷ ପରେ ମୋ ଝିଅ ତପସ୍ବିନୀକୁ ନେଇ ରାଜନୀତିକରଣ କରାଯାଉଛିି । ତପସ୍ୱିନୀଙ୍କୁ କେହି ହତ୍ୟା କରିନାହାନ୍ତି ବରଂ ରୋଗରେ ସେ ମୃତ୍ୟୁବରଣ କହିଛନ୍ତି । ଯଦି ହତ୍ୟା ହୋଇଥାନ୍ତା ମୁଁ ନିଜେ ସେତେବେଳେ ଅଭିଯୋଗ କରିଥାନ୍ତି । ଏବେ ଏହି ଘଟଣାକୁ ରାଜନୀତି କରାଯାଉଛି । ବିଜେଡି ନେତା ଗୟାଧରଙ୍କୁ ବଦନାମ ପାଇଁ ଏହି ଏକ ଯୋଜନା । ଏଥିରେ ବିଜେଡି ନେତା ଗୟାଧର ପରିଡାଙ୍କ କୌଣସି ସମ୍ପୃକ୍ତି ନାହିଁ । ଏପଟେ ଗୟାଧର ପରିଡା ଗଣମାଧ୍ୟମରେ ନିଜର ସମ୍ପୃକ୍ତିକୁ ଖଣ୍ଡନ କରିଛନ୍ତି l
ଇଟିଭି ଭାରତ, ନୟାଗଡ