ଓଡିଶା

odisha

By

Published : Nov 30, 2021, 7:35 PM IST

ETV Bharat / state

ଜୟନ୍ତୀରେ ମନେପଡିଲେ ବୀର ଦିବାକର, ବନ୍ଧୁଙ୍କ ସହ ଝୁରୁଛି ଜନ୍ମମାଟି

ଆଜି ରଣପୁରର ଶହୀଦ ଦିବାକର ପରିଡ଼ାଙ୍କ ଜୟନ୍ତୀ । ରଣପୁରରେ ପ୍ରଜାମେଳି ଗଢ଼ି ଶହୀଦ ରଘୁଙ୍କ ସହ ଶହୀଦ ଦିବାକର ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ l ଆଉ ଆଜିବି ଦିବାକରଙ୍କ ସହ ଶହୀଦ ରଘୁନାଥ ମହାନ୍ତିଙ୍କୁ ବି ଝୁରୁଛି ରଣପୁର ମାଟି । ଅଧିକ ପଢନ୍ତୁ

ଜନ୍ମଦିନରେ ମନେପଡିଲେ ବୀର ଦିବାକର, ବନ୍ଧୁଙ୍କ ସହ ଝୁରୁଛି ଜନ୍ମମାଟି
ଜନ୍ମଦିନରେ ମନେପଡିଲେ ବୀର ଦିବାକର, ବନ୍ଧୁଙ୍କ ସହ ଝୁରୁଛି ଜନ୍ମମାଟି

ନୟାଗଡ: ଆଜି ଶହୀଦ ଦିବାକର ପରିଡ଼ା (Freedom fighter Dibakar Parida)ଙ୍କ ଜୟନ୍ତୀ l 1911 ମସିହା ନଭେମ୍ବର 30 ତାରିଖ ଅର୍ଥାତ ଆଜିର ଦିନରେ ରଣପୁର ଗଡ଼ବାଣୀକିଲୋରେ ସେ ଜନ୍ମଗ୍ରହଣ କରିଥିଲେ । ସେ ଶହୀଦ ହୋଇଛନ୍ତି ସତ ହେଲେ ଆଜି ବି ତାଙ୍କ ତାଙ୍କ ସ୍ମୃତି ସାଇତା ହୋଇରହିଛି l ବ୍ରିଟିଶ ସରକାରଙ୍କ ଅକଥନୀୟ ଅତ୍ୟାଚାରକୁ ବିରୋଧ ସହ ରଣପୁରରେ ପ୍ରଜାମେଳି କରି ଶହୀଦ ହୋଇଥିଲେ ଦିବାକର । ଆଉ ଜନ୍ମଦିନରେ ଦିବାକରଙ୍କ ସହ ଶହୀଦ ରଘୁନାଥ ମହାନ୍ତିଙ୍କୁ ବି ଝୁରୁଛି ରଣପୁର ମାଟି ।

ରଘୁ-ଦିବାକର ( Raghu Dibakar) କହିଲେ ସଭିଁଙ୍କୁ ଜଣା । ନୟାଗଡ଼ ଜିଲ୍ଲାର ତତ୍କାଳୀନ ରଣପୁରଗଡ଼ ରାଜ୍ୟରେ ଅତ୍ୟାଚାରୀ ରାଜାଙ୍କର ଅକଥନୀୟ ଅତ୍ୟାଚାର ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ା । ରଣପୁରରେ ପ୍ରଜାମେଳି (Prajameli in Ranpur) ଗଢ଼ି ଏହି ଦୁଇ ସଂଗ୍ରାମୀ ବନ୍ଧୁ ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ l ନୟାଗଡ ଜିଲ୍ଲା ରଣପୁର ବ୍ଳକ ବାଦଭୂଇଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରଘୁନାଥ ମହାନ୍ତି ।

ଜୟନ୍ତୀରେ ମନେପଡିଲେ ବୀର ଦିବାକର



ବ୍ରିଟିଶ ସରକାରଙ୍କ ଅକଥନୀୟ ଅତ୍ୟାଚାରକୁ ବିରୋଧ କରି ରଣପୁରଗଡ଼ର ଜନସାଧାରଣ 1938 ମସିହାରେ ପ୍ରଜାମେଳି ଗଢ଼ି ପ୍ରଜା ଆନ୍ଦୋଳନକୁ ବ୍ୟାପକ କରାଇଥିଲେ । 1939 ମସିହାରେ ରଣପୁର ଅଞ୍ଚଳର ହଜାର ହଜାର ପ୍ରଜାମେଳିବାନ୍ଧି ଅତ୍ୟାଚାରୀ ରାଜାଙ୍କ ରାଜବାଟି ଅଭିମୁଖେ ଅଗ୍ରସର ହୋଇଥିଲେ । ଏହାଦେଖି ତତ୍କାଳୀନ ରାଜା ତାଙ୍କ ରାଜନୈତିକ ଅନୁଚର ବେଜେଲଗେଟ ସାହେବଙ୍କୁ ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ରଣପୁର ଡକାଇଥିଲେ । ବେଜଲଗେଟ ସାହେବ ଢେଙ୍କାନାଳରେ ବାଜିରାଉତଙ୍କୁ ଗୁଳି କରିବା ସହ ଦଶପଲ୍ଲାରେ ଜଣେ ଗର୍ଭବତୀଙ୍କୁ ପାଦରେ ଦଳି ହତ୍ୟା କରିଥିଲେ । ଯାହା ପ୍ରଜା ଆନ୍ଦୋଳନକୁ ଅଧିକ ପ୍ରଭାବିତ କରିଥିଲା ।ଏହାପରେ ଉତ୍ୟକ୍ତ ପ୍ରଜାମାନେ ବେଜଲଗେଟଙ୍କୁ ପ୍ରବଳ ବିରୋଧ କରିଥିଲେ । ଏହାକୁ ଦେଖି ବେଜଲଗେଟ ପ୍ରଜାଙ୍କ ଉପରେ ଗୁଳିବର୍ଷା କରିବାରୁ ସେହି ସ୍ଥାନରେ ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହାପରେ ଶହୀଦ ରଘୁ- ଦିବାକର ପ୍ରଜାଙ୍କୁ ଏକାଠି କରି ଭାରତ ମାତାର ଜୟ ନାରାରେ ବେଜେଲଗେଟଙ୍କୁ ସେହି ସ୍ଥାନରେ ବାଉଁଶ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିଲେ ।



ଶହୀଦ ରଘୁନାଥ ମହାନ୍ତି ଓ ଦିବାକର ପରିଡ଼ାଙ୍କ ନେତୃତ୍ୱରେ ରଣପୁରଗଡ଼ର ମୁଣ୍ଡ ଟେକିଥିବା ଏହି ପ୍ରଜା ଆନ୍ଦୋଳନ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ବେଜଲଗେଟଙ୍କୁ ପ୍ରଜାମାନେ ହତ୍ୟାକରିଥିବା ଖବର ପାଇ ଶହଶହ ବ୍ରିଟିଶ ବାହିନୀ ରଣପୁରଗଡ଼ରେ ପହଞ୍ଚିଥିଲେ । ପ୍ରଜାମେଳିର ପ୍ରଜାମାନଙ୍କୁ ବ୍ରିଟିଶମାନେ ଦମନ କରିବା ସହ ପ୍ରଜା ଆନ୍ଦୋଳନର ସଂଗ୍ରାମୀ ରଘୁ-ଦିବାକରଙ୍କୁ ଗିରଫ କରି ବିହାରର ଭଗଲପୁର ଜେଲରେ ଭର୍ତ୍ତି କରିଥିଲେ । ଶେଷରେ 1941 ମସିହା ଏପ୍ରିଲ 4 ତାରିଖରେ ଏହି ଦୁଇ ବୀର ସଂଗ୍ରାମୀଙ୍କୁ ଫାଶୀ ଦିଆଗଲା । ଦେଶମାତୃକା ପାଇଁ ଶହୀଦ ହୋଇ ଯୁଗଯୁଗ ପାଇଁ ଅମର ହୋଇଗଲେ ଏହି ଦୁଇ ବୀର ସଂଗ୍ରାମୀ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details