ନୟାଗଡ:ଲୋକକଳା ଲୋକବାଦ୍ୟ ଭରା ରାଜ୍ୟ ଆମ ଓଡିଶା । ପାଲା, ଦଶାକାଠିଆ, ଦଣ୍ଡରେ ଗୁଞ୍ଜରିତ ହୋଇଉଠେ ପୁରପଲ୍ଲୀ । ଲୋକକଳାରେ ଲୋକଙ୍କୁ ହଜାଇ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ଭଳିକି ଭଳି ବାଦ୍ୟ । ସେହିପରି ଏକ ବଦ୍ୟ ହେଉଛି ଠକରା ବାଦ୍ୟ । ପୂର୍ବରୁ ଯାହାକୁ ପୌରାଣିକ ନାଟକ ପରିବେଷଣ ସହ ବିଭିନ୍ନ କାର୍ଯ୍ୟକ୍ରମରେ ବହୁଳ ମାତ୍ରାରେ ବ୍ୟବହାର କରାଯାଉଥିଲା । ହେଲେ ଧୀରେ ଧୀରେ ଆଧୁନିକତାର ବସବର୍ତ୍ତୀ ଏ ମଣିଷ ଏ ବାଦ୍ୟରୁ ମହତ୍ତ୍ବକୁ ଅଣଦେଖା କଲା । ଆଉ କ୍ରମଶଃ ଏହି ବାଦ୍ୟଯନ୍ତ୍ର ବିଲୁପ୍ତ ହେବାକୁ ଲାଗିଲା । ହେଲେ ଆଜିବି କିଛି କଳାପ୍ରେମୀ ଅଛନ୍ତି ଯିଏ ପୁରୁଣା ଜିନିଷକୁ ସ୍ମୃତି ହେବାରୁ ବଞ୍ଚାଇ ପାରିଛନ୍ତି । ଲୋକକଳାରେ ଗୁରୁତ୍ବ ବହନ କରୁଥିବା ଠକରା ବାଦ୍ୟକୁ ବଞ୍ଚାଇ ରଖିଛନ୍ତି ନୟାଗଡ଼ ଜିଲ୍ଲା ଶରଣକୁଳ ନିକଟସ୍ତ ଗୋଡିପଲ୍ଲୀ ଗାଁର ସଂଗ୍ରାମ କେଶରୀ ସ୍ବାଇଁ l ଠକରା ବାଦ୍ୟ କଳାକୁ ଜନମାନସରେ ପ୍ରତିଫଳିତ କରିବା ପାଇଁ ଉଦ୍ୟମ କରିଛନ୍ତି ସଂଗ୍ରାମ l
ଅନନ୍ୟ ପ୍ରତିଭାର ଅଧିକାରୀ ସଂଗ୍ରାମ l ବିଲୁପ୍ତ ପ୍ରାୟ ପାରମ୍ପରିକ "ଠକରା ବାଦ୍ୟ "କଳାକୁ ବଜାଇ ପାରୁଛନ୍ତି l ସେ ନବମ ଶ୍ରେଣୀରେ ଅଧ୍ୟୟନ କରନ୍ତି l ଖୁବ କମ ବୟସରୁ ଏହି ପାରମ୍ପରିକ ବାଦ୍ୟଯନ୍ତ୍ରର ମହତ୍ତ୍ବ ବୁଢିଛନ୍ତି ସଂଗ୍ରାମ । ଅଜାଙ୍କ ଠାରୁ ପ୍ରେରଣା ପାଇଁ ବିଲୁପ୍ତ ହୋଇଯାଇଥିବା ଠକରା ବାଦ୍ୟକୁ ତିଆରି କରି ବଜାଉଛନ୍ତି ସଂଗ୍ରାମ l ଯାହା ତାଙ୍କୁ ଭିନ୍ନ ଏକ ପରିଚୟ ଦେଇଛି l ବିଲୁପ୍ତ ହୋଇଯାଇଥିବା ଏହି ଲୋକକଳାକୁ ଲୋକଲୋଚନକୁ ଆଣିବା ପାଇଁ ତାଙ୍କର ଏଭଳି ମହାନ ପ୍ରୟାସପଥରେ ସଂଗ୍ରାମ l ଏହି ବାଦ୍ୟ ଯନ୍ତ୍ରଟି 2 ଇଞ୍ଚ ମୋଟା ଓ ଏକ ଫୁଟ ଲମ୍ବର ଦୁଇଟି ଶିଶୁ କାଠ ତହିଁରେ 35ଟି ଘାଗୁଡି ଝୁମୁକା, 4 ଟି ଛନ୍ଦ କାଠି,12 ଫୁଟ ଲମ୍ବର ପ୍ଲାଷ୍ଟିକ ଡୋର, 3 ଫୁଟ ଲମ୍ବର ଶାଗୁଆନ କାଠରେ ତିଆରି ହୋଇଛି । କମ ଖର୍ଚ୍ଚରେ ଖୁବ ସୁମଧୁର ଶବ୍ଦ ବାହାରୁଛି ବାଦ୍ୟୟନ୍ତ୍ରରୁ । ଯାହା ସଭିଙ୍କୁ ବିମୋହିତ କରୁଛି । ଯେକୌଣସି ଗୀତ ହେଉନା କାହିଁକି ତାଳ ଦେଇ ଏହାକୁ ବଜାଇ ପାରୁଛନ୍ତି ସଂଗ୍ରାମ l