ନୟାଗଡ଼ :ନୟାଗଡ଼ ମେରୁ ଶୋଭାଯାତ୍ରାରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଓ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀନିବାସ ପ୍ରଧାନକୁ ଆଜି ପୋଲିସ ଗିରଫ କରିଛି । ଶ୍ରୀନିବାସକୁ ମିଶାଇ ଏହି ଘଟଣାରେ ମୋଟ ୧୮ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ସୂଚନାନୁସାରେ, ଗତ ଏପ୍ରିଲ ମାସ ୧୩ ତାରିଖ ଦିନ ନୟାଗଡ଼ରେ ଚାଲିଥିଲା ମେରୁ ଶୋଭାଯାତ୍ରା । ଦୁର୍ଗାପ୍ରସାଦ, ଦେଉଳପଲ୍ଲୀ ଓ ସିନ୍ଦୁରିଆ ଭଳି ୩ଟି ଗ୍ରାମବାସୀଙ୍କ ପକ୍ଷରୁ ମେରୁ ଶୋଭାଯାତ୍ରା ବାହାରିଥିଲା । ସମସ୍ତ ଶୋଭାଯାତ୍ରାକାରୀ ସିନ୍ଦୁରିଆ ଗ୍ରାମସ୍ଥିତ ଲୋକନାଥ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ପରେ ନିଜ ନିଜ ଗ୍ରାମକୁ ଫେରିଥାନ୍ତି । ଘଟଣା ଦିନ ଡିଜେ ସାଉଣ୍ଡ୍ ଜୋର୍ରେ ବଜାଇବା ନେଇ ଦୁର୍ଗାପ୍ରସାଦ ଓ ଦେଉଳପଲ୍ଲୀ ଗ୍ରାମବାସୀଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହୋଇଥିଲା । ପରେ ଏହା ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଥିଲା ।
ଉଭୟ ଗୋଷ୍ଠୀ ପକ୍ଷରୁ ଢେଲା ମାଡ଼ ହୋଇଥିଲା । ଏହି ଢେଲାମାଡ଼ରେ ଟାଉନ୍ ଥାନା ଆଇଆଇସି ପ୍ରଜ୍ଞାପରମିତା ଜେନାଙ୍କ ମୁଣ୍ଡ ଫାଟିଥିଲା । ଏହାସହ ଥାନାର ୩ ଏସ୍ଆଇ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ସେହିପରି ଦେଉଳପଲ୍ଲୀର କେତେକ ଲୋକ ଦୁର୍ଗାପ୍ରସାଦ ଗାଁର ନବୀନ ପରିଡ଼ାଙ୍କୁ ମାରଣାନ୍ତକ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ନବୀନ ପରିଡ଼ାଙ୍କର ମୃତ୍ୟୁ ହୋଇଥିଲା ।