ନବରଙ୍ଗପୁର: ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପର ବିକାଶ ପାଇଁ ହେଉଛି ଅନେକ ଯୋଜନା । ଆଉ ସ୍ବଦେଶୀ ହେବାପାଇଁ ନିଆଯାଉଛି ଶପଥ । ହେଲେ ଏଠାକାର ଚିତ୍ରକୁ ଦେଖିଲେ "ଆତ୍ମନିର୍ଭରଶୀଳ ଭାରତ" ଫେଲ ମାରିଥିିବା ମନେ ହେଉଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ବୁଣାଯାଉଛି ରଙ୍ଗବେରଙ୍ଗର ଶାଢ଼ି । ଯାହାର କଳାକୃତି ବେଶ ସୁନ୍ଦର । ହେଲେ ବିଡ଼ମ୍ବନାର ବିଷୟ ଯେ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ବ୍ୟବସାୟ । ଫଳରେ ଅନେକ ବୁଣାକାର ଆଜି ନିଜ କୌଳିକ ବୃତ୍ତିରୁ ସନ୍ୟାସ ନେଇଗଲେଣିି ।
ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ଏକ ଛୋଟିଆ ଗାଁ, ଯାହାର ନାଁ ହେଉଛି ସାନ ମସିଗାଁ । ଏହି ଗାଁରେ ରୁହନ୍ତି ପ୍ରାୟ 60ରୁ ଊର୍ଦ୍ଧ୍ବ ତନ୍ତ ପରିବାର । ବାପା, ଅଜା କାଳରୁ ସେମାନଙ୍କ ବ୍ୟବସାୟ ହେଉଛି ଲୁଗା ବୁଣିବା । ହେଲେ ଯେଉଁ ବ୍ୟବସାୟ ଦିନେ ସେମାନଙ୍କ ପରିଚୟ ସୃଷ୍ଟି କରିଥିଲା ଆଜି ସେହି ବ୍ୟବସାୟ ସେମାନଙ୍କ ପାଇଁ ବେସାହାରା ପାଲଟିଯାଇଛି । କିଛି ପରିବାର ନିକଟସ୍ଥ କୋରାପୁଟ ଜିଲ୍ଲାର କୋଟପାଡ଼ରେ ଥିବା କିଛି ବୁଣାକାରଙ୍କଠାରୁ କଞ୍ଚାମାଲ ଆଣି ମଜୁରୀ ହିସାବରେ ଲୁଗା ବୁଣି ସେମାନଙ୍କୁ ହିଁ ଦେଇ ଦେଉଛନ୍ତି । ତ ଆଉ କିଛି ପରିବାର ପଡ଼ୋଶୀ ରାଜ୍ୟ ଜଗଦଲପୁର ସହରରୁ ସୁତା ଆଣି ଜିନିଷ ପ୍ରସ୍ତୁତ କରି ପୁଣି ସେହି ବଜାରରେ ଯାଇ ବିକ୍ରି କରୁଛନ୍ତି ।
ଯେଉଁଥିରେ ବହୁ କଷ୍ଟମଷ୍ଟେ ତାଙ୍କ ପରିବାର ଚଳିଥାଏ । ଏହି ଲୁଗା ତିଆରି କରିବା ପୂର୍ବରୁ ପ୍ରଥମେ ଏମାନେ ସୁତା ଆଣି ସୁତାକୁ ମଣ୍ଡ ଦିଅନ୍ତି । ପରେ ଅରଟ ସାହାଯ୍ୟରେ ସୁତାକୁ ବୋବିନ କରନ୍ତି । ସେହି ସୁତାକୁ ନେଇ ଟାଣି ଡ୍ରମରେ ଆବଶ୍ୟକ ଅନୁସାରେ ସୁତା ଟାଣନ୍ତି । ଯେପରିକି କପଡା କେତେ ମିଟର ପ୍ରସ୍ତୁତ କରିବେ ତାହାର ଲମ୍ବା ଓସାର କେତେ ରହିବ ଏହି ଅନୁସାରେ ସୁତା ଟାଣିବା ପରେ ଘରକୁ ଆଣି ତନ୍ତ ପାନିଆରେ ଜଏଣ୍ଟ କରନ୍ତି ।
ଆଉ ସବୁ ସରିଲା ପରେ ଗ୍ରାହକଙ୍କ ମନପସନ୍ଦ ଅନୁସାରେ ଡିଜାଇନ ପ୍ରସ୍ତୁତ କରି ଲୁଗା ବୁଣିଥାନ୍ତି । କପଡାରେ ନିଜେ ପ୍ରସ୍ତୁତ କରିଥିବା ପ୍ରାକୃତିକ ରଙ୍ଗ ହିଁ ବ୍ୟବହାର କରନ୍ତି । ରଙ୍ଗ ପାଇଁ ଆଲ ଗଛର ଚେରକୁ ଆଣି ଶୁଖାଇ ଗୁଣ୍ଡ କରନ୍ତି । ପରେ ଧଳା ସୁତାକୁ ପାଣିରେ ଧୋଇ ସେହି ଗୁଣ୍ଡ ସହ ଗୋବର ତେଲ ମିଶାଇ ଲାଲ ଓ କଳା ରଙ୍ଗର ସୁତା ପ୍ରସ୍ତୁତ କରିଥାନ୍ତି । ଏଠାକାର ମାଡିଆ ଧୋତି ଛତିଶଗଡ଼ ଆଦିବାସୀଙ୍କ ପ୍ରଥମ ପସନ୍ଦ ହୋଇଥିବା ବେଳେ ଏଠାରେ ବୁଣା ଯାଇଥିବା ଶାଢ଼ି, ଚୁନି, ଓଢଣୀର ଚାହିଦା ବେଶ ଅଧିକ ରହିଛି ।