ନବରଙ୍ଗପୁର:ପାପଡ଼ାହାଣ୍ଡି ବ୍ଲକ ଘାଟଗୁଡ଼ା ଗ୍ରାମପଞ୍ଚାୟତ କାଙ୍ଗୁମାଝିଗୁଡା ୧ ନମ୍ବର ୱାର୍ଡର ପ୍ରାୟ ୨୦୨ ଜଣ ଭୋଟର ଭୋଟ ବର୍ଜନ କରିଛନ୍ତି । ଏହି ୱାର୍ଡଟି SC ସଂରକ୍ଷଣ ପାଇଁ ରହିଥିଲା । ମାତ୍ର ଏଠାରେ କେହି SC ପରିବାର ନଥିବାରୁ ୱାର୍ଡବାସୀ ST ସଂରକ୍ଷଣ ପାଇଁ ଦାବି କରିଥିଲେ । ତେବେ ଏହି ବର୍ଗର କୌଣସି ସଂରକ୍ଷଣ ନ ଦିଆଯିବା ପରେ ଭୋଟ ବର୍ଜନ କରିଛନ୍ତି ୱାର୍ଡବାସୀ ।
ୱାର୍ଡବାସୀଙ୍କ ଅଭିଯୋଗ ଅନୁସାରେ କାଙ୍ଗୁମାଝିଗୁଡାରେ ୩ ଗୋଟି ୱାର୍ଡ ରହିଛି । ତିନୋଟି ୱାର୍ଡକୁ SCଙ୍କ ପାଇଁ ସଂରକ୍ଷଣ ରଖାଯାଇଥିଲା । କିନ୍ତୁ ଏହି ଗ୍ରାମରେ ଗୋଟିଏ ପରିବାର ମଧ୍ୟ SC ଶ୍ରେଣୀରେ ନଥିବା ଯୋଗୁଁ, ସଂରକ୍ଷଣ ପରିବର୍ତ୍ତନ ପାଇଁ ଗ୍ରାମବାସୀ ନିବେଦନ କରିଥିଲେ। ସେମାନେ ST ସଂରକ୍ଷଣ ପାଇଁ ନିବେଦନ କରିଥିଲେ । କିନ୍ତୁ ଦୁଇ ଓ ତିନି ୱାର୍ଡର ସଂରକ୍ଷଣ ପରିବର୍ତ୍ତନ ହୋଇଥିଲେ ମଧ୍ୟ ଏକ ନମ୍ବର ୱାର୍ଡର ଅପରିବର୍ତ୍ତିତ ରହିଛି ।