ନବରରଙ୍ଗପୁର:ରବିବାର ଭୂସ୍ଖଳନ ଯୋଗୁଁ ଉତ୍ତରାଖଣ୍ଡ ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲ ଭୁଶୁଡିବା ଘଟଣାରେ ଫସି ରହିଥିବା 40 ଶ୍ରମିକଙ୍କୁ ଏବେ ସୁଦ୍ଧା ଉଦ୍ଧାର କରାଯାଇପାରନି । ଏହି ଶ୍ରମିକଙ୍କ ମଧ୍ୟରେ 5 ଜଣ ଓଡିଆ ଶ୍ରମିକ ମଧ୍ୟ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର 3 ଜଣ ଶ୍ରମିକ ଥିବା ଜଣାପଡିଛି । ଏମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଳକର ତାଲବେଡାର ଶ୍ରମିକ ଭଗବାନ ଭତ୍ରା ମଧ୍ୟ ରହିଛନ୍ତି । ଏବେ ଘଟଣାକୁ 5 ଦିନ ବିତିଥିଲେ ସୁଦ୍ଧା ଉଦ୍ଧାର ଅପରେସନରେ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନି । ଭଗବାନଙ୍କ ପରିବାର ଏବେ ଚିନ୍ତାରେ ଅପେକ୍ଷା କରିଛନ୍ତି । ସୁରକ୍ଷିତ ଉଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
ଭଗବାନ ଜଣେ ଅବିବାହିତ ହୋଇଥିବା ବେଳେ ପିଲା ବେଳୁ ତାଙ୍କ ମା’ଙ୍କ ମୃତ୍ୟୁ ଘଟିଛି । ବାପା ମଧ୍ୟ ଜଣେ ମାନସିକ ଭିନ୍ନକ୍ଷମ । ଘରେ ଭାଇ ଓ ଭାଉଜ ବି ଅଛନ୍ତି । ଗତ ଦେଢ଼ ବର୍ଷ ହେବ ଭଗବାନ ଦାଦନ ଖଟିବାକୁ ଉତ୍ତରାଖଣ୍ଡ ଯାଇଥିଲେ । ତେବେ ଭଗବାନ ଟନେଲରେ ଫସି ରହିଥିବା କଥା ପରିବାର ଲୋକେ ଗତକାଲି ଜାଣିବାକୁ ପାଇଥିବା କହିଛନ୍ତି । ଭଗବାନ କିପରି ସୁରକ୍ଷିତ ଉଦ୍ଧାର ହୋଇ ଘରକୁ ଫେରିବେ ସେଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସହ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଭଗବାନଙ୍କ ପରିବାର ।