ନବରଙ୍ଗପୁର: ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ପୁଟଘର ଗାଁରେ ପୁଣି ଅଜଣା ଜନ୍ତୁ ଆତଙ୍କ । ଏଥର ବାଘ 2ଟି ଛେଳିକୁ ଶିକାର କରି ଗୋଟିଏ ଛେଳିକୁ ସମ୍ପୂର୍ଣ ଭାବରେ ଖାଇଯାଇଥିବା ବେଳେ ଅନ୍ୟ ଛେଳିଟିକୁ ମାରିଦେଇ ଛାଡି ଚାଲିଯାଇଛି। ଅଜଣା ଜନ୍ତୁଟି କଲରାପତାରିଆ ବାଘ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହିଭଳି ଅଜଣା ଜନ୍ତୁ ବାରମ୍ବାର ଗ୍ରାମବାସୀଙ୍କ ଗୃହ ପାଳିତ ପଶୁଗୁଡିକୁ ଶିକାର କରିବାରେ ଲାଗିଛି। ଗ୍ରାମବାସୀମାନେ ଏନେଇ ଭୟଭୀତ ହୋଇଛନ୍ତି । ଜିଲ୍ଲା ବନଖଣ୍ଡ ଅଧିକାରୀ ମଧ୍ୟ ଗ୍ରାମବାସୀଙ୍କ ସହ ଏକମତ ହୋଇ ଏହା କଲରାପତାରିଆ ବାଘ ବୋଲି କହିଛନ୍ତି।
ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ 2କିଲୋମିଟର ପାଦ ଚଲା ରାସ୍ତା ଅତିକ୍ରମ କରିବା ପରେ ଆସେ ନନ୍ଦାହାଣ୍ଡି ବ୍ଲକ ଝାଡବନ୍ଧଗୁଡା ପଞ୍ଚାୟତ ଅନ୍ତର୍ଗତ ପୁଟ ଘର ଗାଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ପୁଟଘର ଗାଁ ଲୋକ ନିରାଡମ୍ବର ଭାବେ ସୁଖ,ଶାନ୍ତି ଓ ଖୁସିରେ ଜୀବନ ଜିଉଁ ଥିବାବେଳେ ଜଙ୍ଗଲ ମଧ୍ୟରେ ବାଘର ଉପସ୍ଥିତି ପୁଟଘର ଗ୍ରାମବାସୀଙ୍କ ସୁଖ ଓ ଶାନ୍ତି ଛଡେଇ ନେଇଛି। ପୁଟଘର ଗାଁର ବୃନ୍ଦାବନ ଗୌଡ଼ ମେଣ୍ଢା ଓ ଛେଳି ପଲକୁ ଚରାଇବା ପାଇଁ ଜଙ୍ଗଲ ମଧ୍ୟକୁ ନେଇକି ଯାଇଥିବା ବେଳେ,ମେଣ୍ଢା ଓ ଛେଳି ପଲ ଉପରକୁ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା ବାଘ ଆକ୍ରମଣ କରି ଗୋଟିଏ ଛେଳିକୁ ମରି ଛାଡି ଚାଲିଯାଇଥିବା ବେଳେ, ଅନ୍ୟ ଏକ ଛେଳିକୁ ଜଙ୍ଗଲ ମଧ୍ୟକୁ ଟାଣି ନେଇଯାଇଥିଲା। ଏଥି ପୂର୍ବରୁ2ଟି ଛେଳିକୁ ବାଘ ଖାଇଯାଇଥିବା ବେଳେ,ଏକ ମାସ ପୂର୍ବରୁ ଗୋଟିଏ ଗାଈକୁ ବାଘ ଖାଇଯାଇଥିଲା ଓ ତିନୋଟି ଗାଈ ବାଘର ଆକ୍ରମଣରେ ଗୁରୁତର ଅବସ୍ଥାରେ ଘରକୁ ଫେରିଥିଲେ।